ଲକଡାଉନ୍ ବେଳେ ମଦ ଦୋକାନର ସିଲ୍ ଭଙ୍ଗାଗଲା ଓ ଖୋଲାଗଲା ସନ୍ଦେହରେ ଅବକାରୀ ବିଭାଗ
ଯୋଡା (ସମୀର କୁମାର ଦାସ) : ସହରର ବାଂଶପାଣି ରୋଡ୍ ତଥା ଏଚଡିଏଫସି ବ୍ୟାଙ୍କ ସମୁଖରେ ଥିବା ସରକାରୀ ବିଦେଶୀ ମଦ ଦୋକାନରେ ସିଲ୍ ଭଙ୍ଗାଯାଇଥିବା ଖବର ମିଳିଛି । ଏହି ସରକାରୀ ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗର ଅଧିକାରୀ ନିରାକାର ଦେହୁରୀ ଏକାଟିଆ ଆସି ମଦ ଦୋକାନରେ ପୂର୍ବରୁ ଥିବା ସିଲକୁ ଭାଙ୍ଗି ପୁନଃ ସିଲ୍ କରୁଥିବା ଦେଖିବାକୁ ମିଳିଥିଲା । ପଚାରିବାରୁ ସେ କହିଥିଲେ ଯେ, ସିଲ୍ ଟି ପୂର୍ବରୁ କେହି ଭାଙ୍ଗି ଦେଇଥିବାରୁ ପୁନଃ ସିଲ୍ କରିବାକୁ ସେ ଆସିଛନ୍ତି । ହେଲେ ସିଲ୍ ଭାଙ୍ଗି ଦୋକାନ ଭିତରେ ଦୋକନୀ କଣ କରୁଥିଲେ ପଚାରିବାରୁ ସେ ନିରୁତର ରହିଥିଲେ । ଦୋକାନରେ ଥିବା କର୍ମଚାରୀମାନେ କାକୁତିମିନତି ହୋଇ ଫୋଟ ନଉଠାଇବାକୁ ଅନୁରୋଧ କରିଥିଲେ । ତେବେ ଦୋକାନ ଆଖପାଖରେ ଥିବା ଲୋକମାନେ କହିଛନ୍ତି ଯେ, ସିଲ୍ ଭାଙ୍ଗିବା ପରେ ଏକ କାର୍ ରେ ବହୁ ପରିମାଣର ବିଦେଶୀ ମଦ ଏଠାରୁ ଯୋଡା ସହର ଆଡକୁ ଚାଲିଯାଇଥିଲା । ସୂଚନାଯୋଗ୍ୟ ଯେ, ଲକଡାନରେ ପ୍ରାୟତଃ ସବୁ ମଦ ଦୋକାନ ସିଲ୍ ଥିବା ବେଳେ ଏହି ଦୋକାନରେ ସିଲ୍ କିପରି ଭାଙ୍ଗିଲା ତାହା ତଦନ୍ତ ସାପେକ୍ଷ । ତେଣେ ଲକଡାଉନ୍ ଫଳରେ ଚୋରା ମଦ ବ୍ୟବସାୟୀମାନେ ମୂଲ୍ୟଠାରୁ ଦୁଇ ତିନି ଗୁଣ ମୂଲ୍ୟ ବୃଦ୍ଧି କରି ମଦବିକ୍ରି କରୁଛନ୍ତି । ଏହି ସମୟରେ ଯୋଡା ସହିଦ ନଗର ଛକ ନିକଟରେ ଥିବା ଏକ ଚୋରା ମଦ ଦୋକାନରେ ଚଢା ଦରରେ ମଦ ବିକ୍ରି ହେଉଛି ।ପୋଲିସ ଏହାର ତଦନ୍ତ ଶୀଘ୍ର କରିବ ବୋଲି ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ କହିଛନ୍ତି ।


