ଲକଡାଉନ ସମୟରେ ଘରୋଇ ହିଂସା : ଥାନାକୁ ଟେଲିଫୋନ କଲେ ଘରେ ପହଞ୍ଚିବ ପୁଲିସ
ଭୁବନେଶ୍ୱର: ସମ୍ପ୍ରତି ଲକଡାଉନ ପରିସ୍ଥିତିରେ ବହୁ ରାଷ୍ଟ୍ର ଓ ରାଜ୍ୟରେ ଘରୋଇ ହିଂସା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଓଡ଼ିଶା ପୁଲିସ ମଧ୍ୟ ରାଜ୍ୟର ଏଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିଛି । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମାରେ ୬ଟି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଘରୋଇ ହିଂସା ମାମଲାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ । ଯଦିଓ ରାଜ୍ୟରେ ଏଭଳି ଘରୋଇ ହିଂସା ମାମଲା ଆଖିଦୃଶିଆ ଘଟିନାହିଁ ତଥାପି ଏଥିପାଇଁ ସତର୍କ ରହିବାର ଆବଶ୍ୟକତା ରହିଛି । ରାଜ୍ୟର ବିଭିନ୍ନ ଥାନା ଏବଂ ଜିଲ୍ଲାସ୍ତରରେ ଘରୋଇ ହିଂସା ସମ୍ପର୍କିତ ଅଭିଯୋଗ ନେଇ ରହିଥିବା ୬୦୦ ରୁ ଅଧିକ ହେଲପ୍ ଲାଇନ ନମ୍ବର ଏବଂ ଜିଲ୍ଲା ନିୟନ୍ତ୍ରଣ କକ୍ଷର ଟେଲିଫୋନ ନମ୍ବରଗୁଡ଼ିକୁ ପୁନର୍ବାର ପ୍ରଚାର କରାଯିବ । ଯାହା ଫଳରେ ଘରୋଇ ହିଂସାର ଶିକାର ହେଉଥିବା ବ୍ୟକ୍ତି ଏହାର ସୁଯୋଗ ନେଇପାରିବେ । ଏ ବାବଦରେ ଫୋନ କଲ ପାଇବା ପରେ ପୁଲିସ ଅଭିଯୋଗକାରୀ ବା ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି ଅଭିଯୋଗ / ଏଫଆଇଆର ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନେବେ । ସେହିପରି ଅଭିଯୋଗକାରୀ ମଧ୍ୟ ଓଡ଼ିଶା ପୁଲିସର ରହିଥିବା ସିଟିଜେନ ପୋର୍ଟାଲ ଏବଂ ସହାୟତା ମୋବାଇଲ ଆପ ମାଧ୍ୟମରେ ସେମାନଙ୍କ ଅଭିଯୋଗ କରିପାରିବେ । ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିବେ । ଲକଡାଉନ ସମୟରେ ଜିଲ୍ଲାରେ କାର୍ଯ୍ୟରତ ଆଇୟୁସିଏଡବ୍ଲ୍ୟୁ (ମହିଳା ସମ୍ପର୍କିତ ଅପରାଧ ମାମଲାର ତଦନ୍ତ ୟୁନିଟ) ଏହି ମାମଲା ଗୁଡ଼ିକର ତଦାରଖ କରିବେ ଏବଂ ଏ ନେଇ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।


