ଲକ୍ଷାଧିକ ଟଙ୍କାରେ ନିଲାମ ହେଉଛି କମ୍ପାନୀ ଚାକିରି

ଯୋଡ଼ା, (ସମୀର କୁମାର ଦାସ) : ଯୋଡା ଏକ ଖଣି ଏବଂ ଶିଳ୍ପ ପ୍ରବଣ ଅଞ୍ଚଳ ହେଉଥିବା ବେଳେ ବର୍ଷ ବର୍ଷ ଧରି ଏହି ଖଣି ମାନଙ୍କରେ ସ୍ଥାୟୀ ନିଯୁକ୍ତି ଆଦୌ ନାହିଁ କହିଲେ ଚଳେ । ଖଣି ଅଞ୍ଚଳରେ ଯାହାବି ପଦବୀ ବାହାରିଲେ ତାହା ରାଜ୍ୟ ବାହାରେ ନିଯୁକ୍ତି କରାଯାଇ ଯୋଡାକୁ ସ୍ଥାନାନ୍ତରିତ କରାଯାଇଥାଏ । ତେଣୁ ସ୍ଥାନୀୟ ଯୁବକ, ଯୁବତୀମାନେ କାମଧନ୍ଦା ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏ ନେଇ ବାରମ୍ବାର ବିଭିନ୍ନ ମହଲରୁ ଚାପ ପ୍ରୟୋଗ ଫଳରେ ଯୋଡାଠାରେ ପ୍ରତିଷ୍ଠିତ ଏକ ବହୁରାଷ୍ଟ୍ରୀୟ ଖଣି ଓ ଶିଳ୍ପ ସଂସ୍ଥା ଦୀର୍ଘ ଦଶନ୍ଧି ପରେ କିଛି ନିଯୁକ୍ତି ଦେବାର ପ୍ରକ୍ରିୟା ଆରମ୍ଭ କରିଛି । ଏହାକୁ ସବୁ ମହଲରୁ ସ୍ୱାଗତ କରାଯାଉଥିଲେ ମଧ୍ୟ ସବୁ ବେଳେ ନୀତି ନୈତିକତାର ଦ୍ୱାହି ଦେଉଥିବା ଏହି କମ୍ପାନୀ ଏବେ ଏହି ନିଯୁକ୍ତିରେ ବ୍ୟାପକ ଅନୀୟମିତତା କରୁଥିବା ପରିଲକ୍ଷିତ କରାଯାଇଛି, ଯାହା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି । ବିଶେଷ ସୂତ୍ରରୁ ଜଣାପଡିଛି ଯେ, ଏହି କମ୍ପାନୀ ତିନୋଟି ପର୍ଯ୍ୟାୟରେ ଶିଳ୍ପ ତାଲିମ ପ୍ରାପ୍ତ କିଛି ଯୁବକଙ୍କୁ ଇଲେକ୍ଟ୍ରିସିଆନ, ଫିଟର ଏବଂ ମାଇନିଙ୍ଗ ମେଟ ପଦବୀ ନିମନ୍ତେ ଯୋଡା ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ଗ୍ରହଣ କରି ସେମାନଙ୍କର ସାକ୍ଷାତକାର କରାଇ ଚାକିରି ପ୍ରଦାନ କରିଛନ୍ତି । ତେବେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଯୁବକ, ଯୁବତୀମାନେ ଅଭିଯୋଗ କରିଛନ୍ତି । ଦଲାଲ କମ୍ପାନୀ ପକ୍ଷରୁ ହେଉଥିବା ଲିଖିତ ଏବଂ ମୌଖିକ ସାକ୍ଷାତକାର କେବଳ ଔପଚାରିକତା ବୋଲି ସେମାନେ ଦାବି କରିଛନ୍ତି । ଏହି ଚାକିରିରେ ବିଧାୟକ, ମନ୍ତ୍ରୀ ଏବଂ ଦଳିୟ କୁଜି ନେତାଙ୍କ ସମ୍ପର୍କିୟମାନେ ଚାକିରି ପାଉଥିବା ବେଳେ ଅଧିକାଂଶ କ୍ଷେତ୍ରରେ ସେମାନେ ମୋଟା ଅଙ୍କର ଅର୍ଥ କାରବାର କରି କମ୍ପାନୀକୁ ଚାକିରି ପାଇଁ ସୁପାରିଶ କରିଥାନ୍ତି । ଫଳରେ ଅଧିକାଂଶ ଯୋଗ୍ୟ ପ୍ରାର୍ଥ ଚାକିରି ପାଇବାରୁ ବଞ୍ଚିତ ହୋଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଦେଓଝର ପଞ୍ଚାୟତ ଅନ୍ତର୍ଗତ ମୁର୍ଗାଠାରେ ଥିବା କାଟାମାଟି ଖଣିରେ ଜଣେ ରାଜନେତାଙ୍କ ସଲାସୁତରାରେ ଜଣେ ପୂର୍ବତନ ସରପଞ୍ଚ ୨ଟି ପର୍ଯ୍ୟାୟରେ (୧୮+୨୧) ୩୯ଜଣ ପ୍ରାର୍ଥଙ୍କୁ ବିନା କୌଣସି ସାକ୍ଷାତକାରରେ ନିଯୁକ୍ତି ଦେଇପାରିବା ଏବେ ଚର୍ଚ୍ଚାର ସମସ୍ତଙ୍କୁ ଚକିତ କରିଛି । ଯୋଡା ବ୍ଲକର ୧୯ଟି ପଞ୍ଚାୟତରେ ଅନେକ ଯୋଗ୍ୟ ପ୍ରାର୍ଥ ଥିବା ବେଳେ ଏହି ନିଯୁକ୍ତି ପାଇଁ ମୋଟା ଅଙ୍କର ଅର୍ଥ କାରବାର ଯୋଗୁଁ ସେମାନେ ଚାକିରି ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରତି ନିଯୁକ୍ତି ପାଇଁ ଏକ ଲକ୍ଷ ଟଙ୍କାରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହି ଚାକିରି ନିଲାମ କରାଯାଇଥିବା ଜଣାପଡିଛି । ଏହାର ସୁଯୋଗରେ ଚମ୍ପୁଆ ଅଞ୍ଚଳର ଜଣେ ଦଲାଲ ଆଦିବାସୀ ନେତା ବୋଲାଉଥିବା ବ୍ୟକ୍ତି ଝାଡଖଣ୍ଡ ଅଞ୍ଚଳର ଜଣେ ରାଜନେତାଙ୍କୁ ଏକ ଆଦିବାସୀ କାର୍ଯ୍ୟକ୍ରମରେ ଯୋଡା ଆଣି ନିଜର ପତିଆରା ବୃଦ୍ଧି କରି ଅନେକ ଶିକ୍ଷିତ ଆଦିବାସୀ ଯୁବକ, ଯୁବତୀମାନଙ୍କୁ ଉକ୍ତ କମ୍ପାନୀରେ ଚାକିରି କରାଇଦେବା ନାମରେ ଲକ୍ଷ ଲକ୍ଷ ଠକିନେଇ ଏବେ ଫେରାର ଥିବା ଜଣାପଡିଛି । କେବଳ ସେତିକି ନୁହେଁ ଉକ୍ତ କମ୍ପାନୀର ଖଣ୍ଡବନ୍ଧ ଓ ବିଚାକୁଣ୍ଡି ଖଣିରେ ଅନୁରୂପ ଅବୈଧ ଉପାୟରେ ନିଯୁକ୍ତି ଦିଆଯାଇଛି, ଯାହା ତଦନ୍ତ ସାପେକ୍ଷ । ନିଯୁକ୍ତି ଦେବା ନାମରେ ଏହି ଅନୈତିକ ଅର୍ଥ କାରବାରରେ କମ୍ପାନୀର କୌଣସି ଅଧିକାରୀ ସମ୍ପୃକ୍ତ କି ନାହିଁ ତାହା ଜଣାପଡିନଥିବା ବେଳେ ଏ ନେଇ କମ୍ପାନୀର ଉଚ୍ଚ କର୍ତ୍ତୁପକ୍ଷ ଅବଗତ କି ନୁହେଁ ତାହା ମଧ୍ୟ ଜଣାପିଡନାହିଁ । ତେବେ ଖଣି ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ବେକାର ଯୁବକ, ଯୁବତୀ ଚାକିରି ନପାଇ ବେକାର ହୋଇ ବୁଲୁଥିବା ବେଳେ ଯୋଡାରେ ଥିବା କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜିକରଣ କରିବା ପାଇଁ ମଧ୍ୟ ଦଲାଲଙ୍କୁ ଧରିବାକୁ ପଡୁଛି । ଏହି ଦଲାଲ ଜିଲା ଭିତରର ପ୍ରାର୍ଥôମାନଙ୍କ ପାଇଁ ୫ହଜାର ଟଙ୍କା ନେଉଥିବା ବେଳେ ଜିଲା ବାହାର ପ୍ରାର୍ଥôଙ୍କ ପାଇଁ ସ୍ଥଳବିଶେଷରେ ୧୫ ହଜାର ଟଙ୍କା ନେଉଥିବା ସୂଚନା ମିଳିଛି । ପଞ୍ଜିକୃତ ଅଧିକାଂଶ ପ୍ରାର୍ଥôଙ୍କର ଜନ୍ମ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର ଇତ୍ୟାଦି ଏହି ଦଲାଲ ମାଧ୍ୟମରେ ଜାଲ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ସମ୍ପୃକ୍ତ କମ୍ପାନୀରେ ଚାକିରି ଖଣ୍ଡେ ପାଇବା ପାଇଁ ଭୋକେସନାଲ ଟ୍ରେନିଙ୍ଗ (ଭିଟି) ନେବାକୁ ପଡୁଥିବା ବେଳେ ଏହା ସମ୍ପୂର୍ଣ୍ଣ ନିଶୁଳ୍କ ଥିଲେ ମଧ୍ୟ କମ୍ପାନୀର କେତେକ ଠିକା ସଂସ୍ଥା ମାଧ୍ୟମରେ ଏହା କରାଯାଇଥାଏ । ତେବେ ସମ୍ପୃକ୍ତ ଠିକା ସଂସ୍ଥା ଏହି ଭିଟି ପାଇଁ ପ୍ରତି ପ୍ରାର୍ଥଙ୍କ ଠାରୁ ଦଲାଲି କରି ୧୫ ହଜାର ଟଙ୍କା ଲେଖାଁଏ ଆଦାୟ କରୁଥିବା ମଧ୍ୟ କାହାରିକୁ ଅଛପା ନାହିଁ । ଏହିପରି ବିଭିନ୍ନ ଉପାୟରେ ଚାକିରି ଖଣ୍ଡେ ପାଇବା ପାଇଁ ଗରିବ ଯୁବକ, ଯୁବତୀମାନଙ୍କୁ ଶୋଷଣ କରାଯାଉଥିବା ହୃଦୟ ବିଦାରକ ଚିତ୍ର ଦିନକୁ ଦିନ ପଦାକୁ ଆସିବାରେ ଲାଗିଛି, ଯାହା ଅତ୍ୟନ୍ତ ଦୁ୍ର୍ଭାଗ୍ୟ ଜନକ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ