ଲଗାଣ ବର୍ଷାରେ, ଯାତାୟତ ବାଧାପ୍ରାପ୍ତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମ ଉନ୍ନୟନ ରାସ୍ତାର କନ୍ତିଆ ଚଣ୍ଡିଛକ ଠାରୁ ଯାଇଥିବା ରାସ୍ତାଟି ଆଜି ଲଗାଣ ବର୍ଷାରେ ବୁଡି ଯାଇଛି । ଫଳରେ କନ୍ତିଆ ନୋଡାଲ ୟୁପି ସ୍କୁଲ, ଇଛାପୁର ୟୁପି ସ୍କୁଲ, କନ୍ତିଆ ବିଦ୍ୟାଳୟ, ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ଏହି ରାସ୍ତାଟି ଦୀର୍ଘ ବର୍ଷ ହେବ ନିର୍ମାଣ ନହେବା ଯୋଗୁ ମେଟାଲ ଉଠି ଯାଇ ଖାଲଖମାରେ ପରିଣତ ହୋଇଥିବା ବେଳେ ବିଶେଷକରି କନ୍ତିଆ ସ୍କୁଲ ପାଖରେ ଥିବା ରାଉତସାହି, ମଝିସାହି, ଶାସନ, ଜେନା ସାହି ନିକଟରେ ଆଣଣ୍ଠୁଏ ଉପରକୁ ପାଣି ପ୍ରବାହିତ ହେଉଥିବାର ଦେଖାଯାଉଛି । ଆଜି ସକାଳେ ସଂପୃକ୍ତ ଅଞ୍ଚଳରେ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ନାନା ହିନସ୍ତା ହୋଇଛନ୍ତି । ଗ୍ରାମବାସୀଙ୍କ ସହଯୋଗରେ କନ୍ତିଆ ମହାବିଦ୍ୟାଳୟର ଅଧ୍ୟାପକ ସୁବାଷ ରାଉତ ଛାତ୍ରଛାତ୍ରୀଙ୍କୁ ପାରି କରିଥିବାର ଦେଖାଯାଇଥିଲା । ବିଶେଷ କରି ମଝିସାହି ଛକରେ ଦୀର୍ଘ ଦିନ ହେବ ଏକ ଘାଇ ସୃଷ୍ଟି ହେବାରୁ ସମସ୍ୟା ଦେଖାଯାଇଛି । ସେହିପରି ବାରିକପୁର-ବନ୍ତ ପୂର୍ତ୍ତ ଓ ଗୃହ ନିର୍ମାଣ ରାସ୍ତାର ଗଣ୍ଡଗରା ଛକ ଠାରୁ ଯାଇଥିବା ମୁଗଗଢିଆ-ଗୋହିରାପଦୀ ରାସ୍ତାଟି ଆଜିର ବର୍ଷାରେ ସଂପୂର୍ଣ୍ଣ ଜଳମଗ୍ନ ହୋଇଛି । ସକାଳେ ମୁଗଗଢିଆ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଆସିଥିବା ଛାତ୍ରଛାତ୍ରୀ ଛୁଟି ପରେ ରାସ୍ତା ଉପରେ ଜଳସ୍ତର ବୃଦ୍ଧି ଯୋଗୁ ବହୁ ଅସୁବିଧାରେ ପଡିଥିଲେ । ପ୍ରଧାନ ଶିକ୍ଷକ ରତିକାନ୍ତ ମଲ୍ଲିକ, ସହକାରୀ ଶିକ୍ଷକ ଗଗନ ବିହାରୀ ଦାସ, ସୁଭ୍ରପ୍ରକାଶ ରାଉଳ ଛାତ୍ରଛାତ୍ରୀ ମାନଙ୍କୁ ରାସ୍ତା ପାରି କରାଇଥିଲେ । ସେହିପରି ବନ୍ତ ବ୍ଲକର ବିଭିନ୍ନ ରାସ୍ତା ଧୋଇ ଯାଇଥିବା ବେଳେ ଜଳମଗ୍ନ ଯୋଗୁ ଲୋକେ ନାନା ହିନସ୍ତା ହୋଇଥିବାର ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ