ଲିଙ୍ଗରାଜ ମନ୍ଦିର ଜାଗର ଯାତ୍ରା ଏକାଠି ଦୀପ ଜାଳିବା ମନା
ଭୁବନେଶ୍ୱର (ୱାଇଏନ୍ଏସ୍): ଆସନ୍ତା ୧୧ ତାରିଖ ମହାଶିବରାତ୍ରୀରେ କୋଭିଡ କଟକଣା ମଧ୍ୟରେ ପାଳିତ ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା । ତେବେ ଭକ୍ତମାନଙ୍କୁ ଏକାଠି ବସି ଦୀପ ଜାଳିବାକୁ ବାରଣ କରାଯାଇଛି । ଶନିବାର ଦିନ ଜାଗରା ଯାତ୍ରା ପ୍ରସ୍ତୁତି ନେଇ ମନ୍ଦିରର ୩ ସେବାୟତ ନିଯୋଗଙ୍କ ସହ ପୋଲିସ ଓ ପ୍ରଶାସନର ବୈଠକରେ ଏହି ନିଷ୍ପତି ନିଆଯାଇଛି ।ବୈଠକରେ ଶାନ୍ତି ଶୃଙ୍ଖଳାରେ ଭକ୍ତମାନେ କିଭଳି ମହାପ୍ରଭୁଙ୍କ ଦର୍ଶନ କରିବେ, ସେ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଜାଗର ଦିନ କୋଭିଡ ନିୟମ ପାଳନ କରି ଭକ୍ତମାନେ ଦୀପ ଜାଳିବାକୁ ସ୍ଥିର ହୋଇଛି । ତା’ସହ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ ସହ ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଭକ୍ତମାନେ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣି ଓ ଓଆରଏସ୍ ର ବ୍ୟବସ୍ଥା କରାଯିବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅପରପକ୍ଷରେ ବିଭିନ୍ନ ଏନଜିଓ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ହେଉଥିବା ଖାଦ୍ୟ ବଂଟନକୁ ମଧ୍ୟ ବାରଣ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ସେହିପରି ରାତି ୧୦ଟା ପରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ କିଭଳି ମନ୍ଦିରରୁ ବାହାରିବେ ସେ ନେଇ ବିଶେଷ ଧ୍ୟାନ ଦିଆଯିବ ।


