ଶରୀରଦାନ ଓ ଅଙ୍ଗଦାନକୁ ନେଇ ସେମିନାର
ସମ୍ବଲପୁର, (ଲିପନ ନାଏକ):ବର୍ଷକୁ ଶହ ଶହ ଅଙ୍ଗର ଆବଶ୍ୟକତା ରହିଥିବାବେଳେ ରୋଗୀ ବିଭିନ୍ନ ଅଙ୍ଗ ଉପଲବ୍ଧ ହେଉନଥିବାରୁ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଦେଶରେ ବର୍ଷକୁ ଯେତିକି ଅଙ୍ଗ ଦାନସୂତ୍ରରେ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ପଣା ସଦୃଶ। ଡାକ୍ତରଖାନାରେ ଭିତ୍ତିଭୂମିର ଅଭାବ, ଅଭିଜ୍ଞ ଡାକ୍ତରଙ୍କ ଅଭାବ, ସମାଜରେ ଅଙ୍ଗଦାନ ଉପରେ ସଚେତନତାର ଆବଶ୍ୟକତା ଏବଂ ସର୍ବୋପରି ଲୋକଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସ ଯୋଗୁଁଁ ଅଙ୍ଗଦାନ କାର୍ଯ୍ୟକ୍ରମ ଆଗକୁ ବଢ଼଼ିପାରୁନାହିଁ ବୋଲି ବକ୍ତାମାନେ ମତପ୍ରକାଶ କରିଛନ୍ତି। ଓଡ଼ିଶା ହ୍ୟୁମାନ୍ ରାଇଟ୍ସ କମିଶନ ଏବଂ ସେବା ଅନୁଷ୍ଠାନ ‘ଉତ୍ସର୍ଗ’ ମିଳିତ ଆନୁକୂଲ୍ୟରେ ବନଭେନନ ବେନ୍କ୍ୱେଟ୍ ହଲ୍ରେ ‘ଉତ୍ସର୍ଗ’ର ସଂଯୋଜକ ପ୍ରଶାନ୍ତ କୁମାର ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ସମ୍ପୂର୍ଣ୍ଣ ଶରୀର ଓ ଅଙ୍ଗଦାନକୁ ନେଇ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାର ଜନସଚେତନତାର ଏକ ଅଂଶବିଶେଷ। ସେମିନାରରେ ବୁର୍ଲା ଭିମସାରର ପ୍ରାକ୍ତନ ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ବିଜୟ କୁମାର ଦତ୍ତ ‘ସମ୍ପୂର୍ଣ୍ଣ ଶରୀରଦାନ – ଏହାର ଉଦ୍ଦେଶ୍ୟ ଓ କାର୍ଯ୍ୟାନ୍ୱୟନ’ ଉପରେ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ବକ୍ତା ମେଡିସିନ ବିଭାଗ ବିଶେଷଜ୍ଞ ଡା. କାଞ୍ଚନ ରାୟ ‘ସାମ୍ପ୍ରତିକ ଦୃଶ୍ୟପଟରେ ଅଙ୍ଗଦାନ’ ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭିମସାରର ପ୍ରାକ୍ତନ ଅଧ୍ୟକ୍ଷ ବ୍ରଜମୋହନ ମିଶ୍ର ସମାଜରେ ଅଙ୍ଗଦାନ ଉପରେ ଜନସଚେତନତା ଓ ଅଙ୍ଗଦାନ ପରି ମହତ୍ ଦାନର କାର୍ଯ୍ୟକାରିତାରେ ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ଗୁରୁଦାୟିତ୍ୱ ବିଷୟରେ କହିଥିଲେ। ‘ଉତ୍ସର୍ଗ’ର ସହସଂଯୋଜକ ରଜନୀ ନାଗ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଭ୍ୟ ଲକ୍ଷ୍ମଣ ପାଣିଗ୍ରାହୀ ସମ୍ପୂର୍ଣ୍ଣ ଶରୀର ଦାନ ସକାଶେ ‘ଉତ୍ସର୍ଗ’ ଅନୁଷ୍ଠାନ ପକ୍ଷରୁ ୨୦୧୨ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ବିଭିନ୍ନ ପଦକ୍ଷେପ ତଥା ସଚେତନତା କ୍ଷେତ୍ରରେ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଶେଷରେ ବରିଷ୍ଠ ସଭ୍ୟ ହରିଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।