“ଶସ୍ତ୍ରପୂଜା’ ସମାଲୋଚନାର ଜବାବ ଦେଇ କହିଲେ ରାଜନାଥ: ଏଇଟା ଆମର ବିଶ୍ୱାସ, ଲୋକେ ଯାହା ଇଚ୍ଛା ତାହା କୁହନ୍ତୁ
ନୂଆଦିଲ୍ଲୀ: ଫ୍ରାନ୍ସ ଗସ୍ତରୁ ଆସି ଗୁରୁବାର ରାତିରେ ଭାରତରେ ପହଞ୍ଚି ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଫେଲ୍ ନିମନ୍ତେ କରାଯାଇଥିବା “ଶସ୍ତ୍ରପୂଜା ‘ ପାଇଁ ବିରୋଧୀଙ୍କ ସମାଲୋଚନାର ଜବାବ ଦେଇ କହିଲେ ଯେ ସେ ଯାହା ଉଚିତ ମଣିଲେ ତାହା କଲେ । ସେ କହିଲେ: ଲୋକମାନଙ୍କର ଯାହା ଇଚ୍ଛା ତାହା କୁହନ୍ତୁ । ଯାହା ଠିକ୍ ଭାବିଲି କଲି ଆଉ ତାହା କରି ଚାଲିବି । ଏଇଟା ଆମ ବିଶ୍ୱାସ ଯେ ମହାଶକ୍ତି ଅଛି ଏବଂ ବାଳୁତ କାଳରୁ ମୁଁ ଏ କଥା ବିଶ୍ୱାସ କରିଛି । ସେ ଆହୁରି କହିଲେ ଯେ ଯେଝା ଯେଝାର ବିଶ୍ୱାସ ଅନୁସାରେ ଲୋକମାନଙ୍କର ପ୍ରାର୍ଥନା କରିବାର ଅଧିକାର ଅଛି । ଅନ୍ୟ କେହି ପୂଜା କରିଥିଲେ ବି ସେ ଆପତ୍ତି କରି ନ ଥା ‘ନ୍ତେ । ମୋର ମନେହୁଏ କଂଗ୍ରେସ ଦଳରେ ଏ କଥାରେ ମତାନ୍ତର ଅଛି । ଏହା ସମସ୍ତଙ୍କର ମତ ହୋଇ ନ ଥିବ । ସିଂହ ରାଫେଲ୍ “ଶସ୍ତ୍ରପୂଜା ‘ କରିବା କଥାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଛି । ଦଳ ମଧ୍ୟ ଅଭିଯୋଗ କରିଛି କି, କେନ୍ଦ୍ରର ବିଜେପି ସରକାର ରଫେଲ୍ ହସ୍ତାନ୍ତରକୁ ମଧ୍ୟ ଗୈରିକକରଣ କରିବାକୁ ଚେଷ୍ଟା କରୁଛି । ପୂଜାକୁ ଗୋଟାଏ ପ୍ରହସନ ବୋଲି ଆଖ୍ୟା ଦେଇ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ କହିଲେ ଯେ ପ୍ରତିରକ୍ଷା ମନ୍ତ୍ରୀଙ୍କର ଶସ୍ତ୍ରପୂଜା କରିବା ଥିଲା ଅନାବଶ୍ୟକ ।


