‘ଶସ୍ତ୍ର’ ଚିଟଫଣ୍ଡ ନିର୍ଦେଶକ-କର୍ମଚାରୀଙ୍କୁ ଜେଲଦଣ୍ଡ
ବାଲେଶ୍ୱର, (ସରୋଜ ପଣ୍ଡା):ଚିଟଫଣ୍ଡ ଠକେଇ ମାମଲାର ବିଚାର କରି ବାଲେଶ୍ୱରର ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ବିଚାରପତି ବିଶ୍ୱଜିତ ଦାସ ‘ଶସ୍ତ୍ର’ ଏଣ୍ଟରପ୍ରାଇଜେସ ପ୍ରାଇଭେଟ ଲିମିଟେଡ’ର ନିର୍ଦେଶକ ଭି ସମ୍ପଦ ଓ ବୋର୍ଡ ଅଫ ଡାଇରେକ୍ଟର ବି ମଲିକାର୍ଜୁନକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୪ଲକ୍ଷ ୨୧ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି । ସେହିପରି ଅନ୍ୟ କର୍ମଚାରୀମାନଙ୍କୁ ୩ବର୍ଷ ଜେଲ ଓ ୬୦ ହଜାର ଟଙ୍କା ଜୋରିମାନା ଦଣ୍ଡାଦେଶ ଦେଇଛନ୍ତି ମାମଲାକୁ ସରକାରଙ୍କ ପକ୍ଷରୁ ପ୍ରଣବ କୁମାର ପଣ୍ଡା ପରିଚାଳନା କରୁଥିଲେ ।ଅଧିକ ସୁଧର ଲୋଭ ଦେଖାଇ ଏହି ସଂସ୍ଥା ସାଧାରଣ ଜମାକରୀଙ୍କଠାରୁ କୋଟି କୋଟି ଠକଥିବା ନେଇ ବାରିପଦା, ୨୦ ନମ୍ବର ୱାର୍ଡ଼ର କ୍ଷୀରୋଦ ଚନ୍ଦ୍ର ବାରିକ ବାରିପଦା ଟାଉନ ଥାନାରେ ୨.୧୧.୨୦୧୦ରେ ଅଭିଯୋଗ କରିଥିଲେ । ଏନେଇ ୩୦୧ନଂର ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ୫୭ ଜଣ ସାକ୍ଷୀ ଓ ୭୯ଟି ଦଲିଲ ଦସ୍ତାବିଜକୁ ଆଧାରକରି ବିଚାରପତି ଦଣ୍ଡବିଧାନ କରିଥିଲେ । ଶସ୍ତ୍ର ଚିଟଫଣ୍ଡ କମ୍ପାନୀର ନିର୍ଦେଶକ, ତାମିଲନାଡୁର ମୁଗପୈର ଅଞ୍ଚଳର ଭି ସମ୍ପଦ ଓ ବୋର୍ଡ ଅଫ ଡାଇରେକ୍ଟର ତଥା ଆନ୍ଧ୍ର ପ୍ରାଦେଶ, ତିରୁପତି, ଅଲିପିରି, ଚିତୁର ଅଞ୍ଚଳର ବି ମଲ୍ଲିକାର୍ଜୁନ ରାଜୁକୁ ୭ ବର୍ଷ ଓ ୪ଲକ୍ଷ ୨୧ ହଜାର ଟଙ୍କା ଲେଖାଏ ଜୋରିମାନା ନିର୍ଦେଶ ଦେଇଛନ୍ତି । ସେହିପରି ଅନ୍ୟତମ ଅଭିଯୁକ୍ତ ମୟୂରଭଞ୍ଜ ବୈଶିଙ୍ଗା ଅଞ୍ଚଳର ସଦାଶିବ ନାୟକଙ୍କୁ ୩ବର୍ଷ ଜେଲଦଣ୍ଡ ଓ ୬୦ ହଜାର ଟଙ୍କା, ମୟୂରଭଞ୍ଜ ତାକତପୁର, ତୁଳସୀ ଚୌରା ଅଞ୍ଚଳର ତପନ କୁମାର ବାରିକଙ୍କୁ ୩ ବର୍ଷ ଜେଲ ଦଣ୍ଡ ଓ ୬୦ ହଜାର ଟଙ୍କା ଜୋରିମାନା ନିର୍ଦେଶ ଦେଇଛନ୍ତି । ଅନ୍ୟତମ ଅଭିଯୁକ୍ତ ଡ. ପାର୍ଥସାରଥୀ ଜେନାଙ୍କୁ ନିର୍ଦୋଷରେ ଖଲାସ କରାଯାଇଛି ।