ଶାରଦାପୀଠ କରିଡର ଖୋଲିବାକୁ ପାକର ନିଷ୍ପତ୍ତି
ଶିଖ୍ ଧର୍ମାଲମ୍ବୀଙ୍କ ଉପାସନାସ୍ଥଳ କର୍ତ୍ତାରପୁର କରିଡର ଖୋଲିବା ପରେ ହିନ୍ଦୁଙ୍କ ଉପାସନାସ୍ଥଳ ଶାରଦାପୀଠ କରିଡର ଖୋଲିବା ଲାଗି ପାକିସ୍ତାନ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ୫ ହଜାର ବର୍ଷର ଶାରଦାପୀଠ ମନ୍ଦୀର ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଅବସ୍ଥିତ । ଏହାକୁ ମହାରାଜ ଅଶୋକ ଖ୍ରୀ.ପୂ. ୨୩୭ରେ ପ୍ରତିଷ୍ଠା କରିଥିଲେ । କାଶ୍ମୀର ପଣ୍ଡିତମାନେ ଶାରଦାପୀଠରେ ପୂଜାର୍ଚ୍ଚନା କରିବା ଲାଗି ଦୀର୍ଘଦିନ ଧରି ଦାବି କରିଆସୁଥିବାବେଳେ ପିଡିପି ମଧ୍ୟ ଏହାକୁ ସମର୍ଥନ ଜଣାଇଥିଲା । ଶାରଦା ପୀଠ କରିଡର ଖୋଲିବା ନିଷ୍ପତ୍ତିକୁ ପିଡିପି ମୁଖ୍ୟ ମେହବୁବା ମୁଫ୍ତି ସମର୍ଥନ କରିଛନ୍ତି । ସମ୍ପ୍ରତି ପୁଲୱାମା ଆକ୍ରମଣ ଓ ତତ୍ପରବର୍ତ୍ତୀ ବାଲାକୋଟ୍ ସର୍ଜିକାଲ୍ ଷ୍ଟ୍ରାଇକ୍ ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ମଧ୍ୟରେ ସୃଷ୍ଟି ହୋଇଥିବା ସମ୍ପର୍କ ସୁଧାର ଦିଗରେ ଏହା ସହାୟକ ହେବ ବୋଲି ମୁଫ୍ତି ଆଶାବ୍ୟକ୍ତ କରିଛନ୍ତି । ସୂଚନାଥାଉକି, କର୍ତ୍ତାରପୁର କରିଡର ଖୋଲିବା ପରେ ଅନ୍ୟ ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସୂଚନା ଦେଇଥିଲେ । ଶାରଦା ମନ୍ଦିର ମୁଜାଫରବାଦ୍ଠାରୁ ୧୬୦ କି.ମି. ଦୂର ତଥା ଏଲ୍ଓସି ନିକଟସ୍ଥ ନୀଳ, ମଧୁମୁଖୀ ଓ ସରଗୁନ୍ ନଦୀର ସଂଗମସ୍ଥଳରେ ଅବସ୍ଥିତ ।


