ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) : ସୁଏଲପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ସୁଲେଖା ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍ଥାନୀୟ ରେଣୁକା କଲ୍ୟାଣମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଅବଦୁଲ ସବିର ପୌରୋହିତ୍ୟ କରିଥିଲେ । ଜିଲା ପ୍ରାଥମିକ ଶିକ୍ଷକ ସଙ୍ଘ ସାଧାରଣ ସମ୍ପାଦକ ଅରୁଣ କୁମାର ପାତ୍ର ଓ ବରିଷ୍ଠ ଶିକ୍ଷକ ନେତା ରବି ନାରାୟଣ ମହାପାତ୍ର ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଦୀର୍ଘବର୍ଷର କାର୍ଯ୍ୟକାଳ ମଧ୍ୟରେ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ପ୍ରେରଣାଦାୟୀ କାର୍ଯ୍ୟଧାରା ଓ ଆଚାର ସମ୍ପର୍କରେ ଆଲୋଚନା କରିଥିଲେ । ଜଣେ ଛାତ୍ର ବତ୍ସଳ, ସମୟାନୁବର୍ତ୍ତିତା ତଥା କର୍ମଠ ବ୍ୟକ୍ତିତ୍ୱ ଭାବେ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ଚାକିରି ଜୀବନ ଅନ୍ୟମାନଙ୍କ ପାଇଁ ଉଦହରଣ ହୋଇ ରହିବ ବୋଲି ସେମାନେ କହିଥିଲେ । ସିଆରସିସି ବିଜୟାଲକ୍ଷ୍ମୀ ମିଶ୍ର ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶ୍ରୀମତି ପଟ୍ଟନାୟକଙ୍କ ବହୁବିଧ ପ୍ରତିଭା ଓ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଶ୍ରୀମତୀ ପଟ୍ଟନାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ପ୍ରକାରର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧିତ ଅବସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ପଟ୍ଟନାୟକ ଭାବବିହ୍ୱଳ ହୋଇ ପଡ଼ିବା ସହିତ ଏହି ବିଦ୍ୟାଳୟରେ ଦୀର୍ଘଦିନର କାର୍ଯ୍ୟକାଳରେ ଛାତ୍ରଛାତ୍ରୀଙ୍କ ଭକ୍ତି, ସହର୍କମୀଙ୍କ ତଥା ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ତଥା ସ୍ଥାନୀୟ ଅଞ୍ଚଳର ଅଭିଭାବକଙ୍କ ସହଯୋଗ କେବେ ଭୁଲିପାରିବେ ନାହିଁ ବୋଲି କହିଥିଲେ । ଶିକ୍ଷୟିତ୍ରୀ ସୁମଲି ପୁରୀ ଓ ଜାହିରା ପରବିନ ଏହି ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସରସ୍ୱତୀ ଭୋଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ ପଟ୍ଟନାୟକ ଗତ ୩୦ ତାରିଖରେ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।