ଶିକ୍ଷୟିତ୍ରୀ ମମିତା ହତ୍ୟାକୁ ନେଇ ଏବିଭିପିର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) : ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଓ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ସ୍ଥାନୀୟ ସିନେମାଛକଠାରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏବିଭିପିର ରାଜ୍ୟ ବିଶ୍ୱବିଦ୍ୟାଳୟ ସଂଯୋଜକ ଲକ୍ଷ୍ମୀନାରାୟଣ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତୀକ ଧଳ, ବିଭାଗ ସହ-ସଂଯୋଜକ ରଜତ କୁମାର ପାତ୍ର, ଜିଲା କ୍ରୀଡ଼ା ସହ-ସଂଯୋଜକ ଚନ୍ଦ୍ରଭାନୁ ନାୟକ, ବିଭାଗ ମିଡିଆ ସଂଯୋଜକ ଜୟନ୍ତ କୁମାର ପ୍ରଧାନ ପ୍ରମୁଖ ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷୟିତ୍ରୀ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରିଥିଲେ । ଏହି ଅମାନୁଷିକ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ସହ ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ । ଏଥି ସହିତ ଏହି ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଏବିଭିପି କର୍ମକର୍ତ୍ତା ଓ ସଦସ୍ୟମାନେ ଦାବି କରିଥିଲେ । ନତୁବା ଆଗାମୀ ଦିନରେ ଏହାକୁ ନେଇ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ଏବିଭିପି କର୍ମକର୍ତ୍ତା ଓ ସଦସ୍ୟମାନେ ମନ୍ତ୍ରୀ ମିଶ୍ରଙ୍କ କୁଶପତ୍ତଳିକାକୁ ଦାହ କରିଥିଲେ ।