ଶିଳ୍ପାୟନର ଅଭିବୃଦ୍ଧିରେ ବଡ଼ ଭୂମିକା ନେବ ତୈଳ ଟର୍ମିନାଲ – ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, (ୱାଇଏନ୍ଏସ୍): ଢେଙ୍କାନାଳ ଜିଲ୍ଲା ତେନ୍ତୁଳିପଡାର ସଦାଶିବପୁର ଠାରେ “କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଢ଼େଙ୍କାନାଳର ବଢ଼ୁଥିବା ଶିଳ୍ପାୟନରେ ବଡ଼ ଭୂମିକା ନେବା ସହ ଏହି ପ୍ରକଳ୍ପ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲା ସମେତ ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ପଶ୍ଚିମ ଓଡ଼ିଶାରେ ପେଟ୍ରୋଲିୟମ ସାମଗ୍ରୀ ଚାହିଦାକୁ ପୂରଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପାରାଦୀପ ଧାମରାରୁ ତାଳଚେର ପର୍ଯ୍ୟନ୍ତ ଜଳପଥ ହେବ ଏବଂ ଏହି ପଥରେ ଷ୍ଟିମର ଚାଲିବା ନେଇ ମଧ୍ୟ ଭାରତ ସରକାରଙ୍କ ଯୋଜନା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି ।ଏହି “କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟିର” ଭୂମିପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲା ଗୁଡ଼ିକ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ । ଏହାସହ ଟାଟା ଷ୍ଟିଲ, ନାଲକୋ, ଜିନ୍ଦଲ ଇଣ୍ଡିଆ ଥର୍ମାଲ ପ୍ଲାଂଟ୍ ଏବଂ ଏନଟିପିସି ଭଳି ବଡ଼ ବଡ଼ ଶିଳ୍ପ କମ୍ପାନୀ ଏଠାରେ ପ୍ରତିଷ୍ଠିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅପାର ସମ୍ଭାବନାର ଅଂଚଳ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାକୁ ଅଗ୍ରଣୀ ଅଂଚଳ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଶିଳ୍ପ କମ୍ପାନୀ ଦ୍ୱାରା ପରିବହନ ହେଉଥିବା ଟ୍ରକ ଗୁଡିକ ବିଭିନ୍ନ ଷ୍ଟେସନରୁ ପେଟ୍ରୋଲିୟମଜାତ ସାମଗ୍ରୀ ଏବଂ ଇଥାନଲ, ଏଲଏନଜି ନେବାରେ ସହଜ ହେବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳରେ ଶିଳ୍ପାୟନର ସାମଗ୍ରିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବ । ଏହାବ୍ୟତିତ ଢେଙ୍କାନାଳ ଏବଂ ଅନୁଗୁଳ ହାଇଡ୍ରୋଜେନ୍ ଆଧାରିତ ଅର୍ଥନୈତିକ ପେଣ୍ଠସ୍ଥଳି ହେବ ।
ଏହି ୩୯୫ କୋଟି ଟଙ୍କାର ପ୍ରକଳ୍ପ ୩ଟି ତୈଳ ବିପଣନ କମ୍ପାନୀ ଯଥା ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ ବ୍ୟବହାର କରିବେ । ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ୪୨ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଷ୍ଟୋରେଜ୍ ଡ଼ିପୋ ବା ତୈଳ ଟର୍ମିନାଲ ନିର୍ମାଣ କରାଯିବ । ୫୦ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଡିପୋରେ ପେଟ୍ରୋଲ, ଡ଼ିଜେଲ, ଇଥାନଲ ଏବଂ ବାୟୋ ଡ଼ିଜେଲ ସଂରକ୍ଷିତ ରଖିବା ସହ ଆଖପାଖ ଜିଲ୍ଲାରେ ଯୋଗାଣ କରାଯିବ ।
ଇଣ୍ଡିଆନ ଅଏଲର ପାରାଦୀପ-ରାଂଚି -ରାୟପୁର ପାଇପଲାଇନରୁ ୧୯ କିମି ଦୂରରୁ ଏହି ‘କମନ୍ ୟୁଜର ଫାସିଲିଟି’ ସହ ସଂଯୋଗ କରାଯାଇ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇ ଦିଆଯିବ । ଏହାସହ ଆଗାମୀ ଦିନରେ ରେଳପଥ ମାଧ୍ୟମରେ ପେଟ୍ରୋଲିୟମ ସାମଗ୍ରୀ ମଧ୍ୟ ଯୋଗାଇବାର ଯୋଜନା ରହିଛି । ସଦାଶିବପୁର ତେନ୍ତୁଳିପଡା ଠାରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଢ଼େଙ୍କାନାଳ ଜିଲ୍ଲାରେ ପେଟ୍ରୋଲିୟମ ସାମଗ୍ରୀ ଯୋଗାଇବାରେ ସହାୟକ ହେବା ସହ ପାରାଦୀପ ଠାରୁ ପେଟ୍ରୋଲିୟମ ସାମଗ୍ରୀ ପହିବହନ ପାଇଁ ହେଉଥିବାଅତିରିକ୍ତ ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ । ଯାହାର ଲାଭ ଉପଭୋକ୍ତାଙ୍କୁ ମିଳିବ । ଏହି ପ୍ରକଳ୍ପ ନିର୍ମାଣ ହେବା ସମୟରେ ଏହା ଦ୍ୱାରା ପାଖାପାଖି ୨ ଲକ୍ଷ ମାନବ ଦିବସର ରୋଜଗାର ସୃଷ୍ଟି ହେବ ଏବଂ ସ୍ଥାନୀୟ ଅଂଚଳର ଅର୍ଥନୀତିରେ ଅଭିବୃଦ୍ଧି ଘଟିବା ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।ଏହି କାର୍ଯକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟକା ଶ୍ରୀମତି ସୀମାରାଣୀ ନାୟକ, ବିପିସିଏଲର ଚେୟାରମ୍ୟାନ ଏବଂ ମ୍ୟାନେଜିଙ୍ଗ୍ ଡାଇରେକ୍ଟର କେ. ପଦ୍ମାକର, ବିପିସିଲର ମାର୍କେଟିଂ ଡାଇରେକ୍ଟର ଅରୁଣ କୁମାର ସିଂହ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।


