ଶିଶୁଟିର ପ୍ରତିପାଳନ ଦାୟିତ୍ୱ ନେଲା ବନବାସୀ ସେବା ସମିତି

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଜଣେ ତିନି ମାସର ଛୁଆକୁ ପ୍ରତିପାଳନ କରିବାରେ ଅକ୍ଷମ ହେବାରୁ ଶେଷରେ ଶିଶୁଟିକୁ ଜିଲା ଶିଶୁ କଲ୍ୟାଣ ସମିତି ହାତରେ ସମର୍ପି ଦେଇଛି ଜଣେ ଅସହାୟ ବାପା। ସମିତି ପାଖରୁ ଶିଶୁଟିକୁ ପାଳିବା ଦାୟିତ୍ୱ ନେଇଛି ବାଲିଗୁଡାର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି। ସୂଚନା ପ୍ରକାରେ,କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଂଚାୟତ ରିଙ୍ଗିବାଡି ଗ୍ରାମର ଦେବେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ମିନତୀ ଗତ ଡିସେମ୍ବର ମାସ ୩ ତାରିଖରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ଦେବେନ୍ଦ୍ର ଓ ମିନତିଙ୍କ ଦୁଇଟି ପୁଅ ଓ ଗୋଟିଏ ଝିଅ ଥିଲେ। ସେମାନଙ୍କ ମଧ୍ୟରୁ ବଡପୁଅକୁ ୭ ବର୍ଷ ହୋଇଥିବା ବେଳେ ସେ ଜନ୍ମରୁ ଦିବ୍ୟାଙ୍ଗ। ୪ର୍ଥ ସନ୍ତାନ ଜନ୍ମ ହେବା ପରଠାରୁ ମା ମିନତୀ କ୍ରମାଗତ ଭାବେ ଅସୁସ୍ଥ ରହୁଥିଲେ। ଶେଷରେ ଗତ ମାସ ୧୩ ତାରିଖରେ ସେ ମୃତ୍ୟୁବରଣ କରିଥିଲେ। ବାପା ଦେବେନ୍ଦ୍ର ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତିନିଟି ସନ୍ତାନଙ୍କ କଥା ବୁଝିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା। ମିନତିଙ୍କ ମୃତ୍ୟୁ ପରଠାରୁ ତାର ବଡ ମା ଶିଶୁର ଲାଳନ ପାଳନ କରି ଆସୁଥିଲେ। ତେବେ ଆର୍ଥିକ ଅସୁବିଧା ଓ ଅନ୍ୟାନ୍ୟ କାରଣରୁ ଶେଷରେ ଆଉ ଅଧିକ ଦିନ ଛୁଆ ଦାୟିତ୍ୱ ନେବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ଥିଲା। ତେଣୁ ଛୁଆର ଦାୟିତ୍ୱ ନେବା ପାଇଁ ଦେବେନ୍ଦ୍ର ଜିଲା ଶିଶୁ କଲ୍ୟାଣ ସମିତି ପାଖରେ ଗୁହାରୀ ଜଣାଇଥିଲେ। ଶିଶୁଟିକୁ ଆଣି ସମିତି ପାଖରେ ହାଜର କରାଇବା ପାଇଁ ଦେବେନ୍ଦ୍ରଙ୍କୁ କୁହାଯାଇଥିଲା। ଦେବେନ୍ଦ୍ର ୩ ମାସର ପୁଅକୁ ଆଣି ସମିତି ପାଖରେ ପହଂଚାଇବା ପରେ ଛୁଆର ଦାୟିତ୍ୱ ନେବା ପାଇଁ ବାଲିଗୁଡା ସ୍ଥିତ ଅଗ୍ରଣି ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିକୁ ଅନୁରୋଧ କରିଥିଲେ ଜିଲା ଶିଶୁ କଲ୍ୟାଣ ସମିତି। ସେ ଅନୁସାରେ ବନବାସୀର କର୍ମକର୍ତ୍ତା ତଥା ପୋଷ୍ୟ ସନ୍ତାନ ବିଭାଗର କର୍ମକର୍ତ୍ତା ସରୋଜ କୁମାର ଆଲଟିଆ ଫୁଲବାଣି ଆସି ଶିଶୁଟିକୁ ନିଜ ସାଙ୍ଗରେ ନେଇଛନ୍ତି। ଶିଶୁଟି ବର୍ତ୍ତମାନ ପାଇଁ ବନବାସୀ ଆଶ୍ରୟ ଗୃହରେ ରହିବ ବୋଲି ସଂସ୍ଥାର ସଂପାଦକ ତଥା ଚାଇଲଡ ଲାଇନ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା ଜଣାଇଛନ୍ତି। ପରବର୍ତ୍ତୀ ସମୟରେ ସରକାରଙ୍କ ପୋଷ୍ୟ ସନ୍ତାନ ଆଇନ ଅନୁଯାୟୀ ଶିଶୁଟିକୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏବେ ବନବାସୀରେ ୭ ଜଣ ଏଭଳି ଶିଶୁ ରହିଛନ୍ତି । ଆଜି ପର୍ଯ୍ୟନ୍ତ ବନବାସୀ ଅନୁଷ୍ଠାନ ଦେଢ ଶହରୁ ଅଧିକ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଆଇନ ଅନୁଯାୟୀ ନୂଆ ପରିବାର ଯୋଗାଇ ଦେଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ