ଶେଷ ହେଲା ନାମାଙ୍କନ ପର୍ବ : ଏବେ ଗାଁ ମୁହାଁ ନେତା, ଭୋଟର ବର୍ତ୍ତମାନ ପ୍ରାର୍ଥୀଙ୍କ ପାଇଁ ଭଗବାନ

ପୁରୀ(ଯୁଗାବ୍ଦ ନ୍ୟୁଜ): ୫ବର୍ଷରେ ଥରେ ନିର୍ବାଚନ ଋତୁ ପଡେ । ଦୋଳଘଣ୍ଟ ବାଜିଲା ପରେ ଠାକୁରମାନେ ଗାଁ ଗାଁରେ ବିଜେ କରନ୍ତି । ସେହିପରି ନିର୍ବାଜନୀ ଘଣ୍ଟି ବାଜିଲେ ନେତାମାନେ ଗାଁରେ ଗାଁରେ ଭୋଟରଙ୍କୁ ଭଗବାନ ଭାବି ଭୋଟ ପାଇଁ ପ୍ରାର୍ଥନା କରିଥାନ୍ତି । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇଥାନ୍ତି । ଗାଁ ପଞ୍ଚାୟତ, ବ୍ଳକ ଓ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ କହିଥାନ୍ତି । ଉପକୂଳବର୍ତ୍ତୀ ଜିଲ୍ଲାଭାବେ ପୁରୀ ଜିଲ୍ଲାରେ ନିର୍ବାଚନୀ ଉଷ୍ମତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସମୟରେ କେତେକ ପ୍ରାର୍ଥୀ ଗାଁ କୋଠଘରେ ରହିବା ସହ ଗାଁ ପୋଖରୀରେ ଗାଧୋଇବା, କ୍ଲବଘରେ ଯୁବକଙ୍କୁ ଏକାଠି କରାଇବା, ଗରିବଙ୍କ ଚାଳଘରେ ବସି ପଖାଳ ଖାଇବା ଓ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ଭୋଟ ଭିକ୍ଷା କରିଥାନ୍ତି । ପ୍ରାର୍ଥୀମାନେ ଜିତିବା ପାଇଁ ବିଭିନ୍ନ ପ୍ରକାର ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରୁଛନ୍ତି । କେଉଁ ଗାଁର କିଏ ମୁଖିଆ, କାହାକୁ ଆପ୍ୟାୟିତ କଲେ ଭୋଟ ଭିଡିବା ସୁବିଧା ହେବ, କେଉଁ ବୁଥରେ କିଏ ଏଜେଣ୍ଟ ରହିବ, କେଉଁ ଛକରେ ନିର୍ବାଚନୀ ସଭା ହେବ ସେ ସଂପର୍କରେ ତର୍ଜମା ଆରମ୍ଭ ହୋଇଛି । ବିଭିନ୍ନ ଦଳର ଦଳୀୟ ଅନ୍ତଦ୍ୱର୍ନ୍ଦ, ଆଶାୟୀଙ୍କ ଆଶାଭଙ୍ଗ ଯୋଗୁଁ ଉଷ୍ମ ହେଉଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ରାଜନୀତି । ହାୱାରେ ହାଇ ଲାଇଟ ହେବାକୁ ଚାହୁଛନ୍ତି ଅନେକ ପ୍ରାର୍ଥୀ । ପ୍ରାର୍ଥୀପତ୍ର ଦାଖଲ ଶେଷ ପରେ ଏବେ ଗାଁ ମୁହାଁ ହୋଇଛନ୍ତି ପ୍ରାର୍ଥୀ । ଭୋଟରଙ୍କୁ ବିଭିନ୍ନ ରଙ୍ଗୀନ ସ୍ୱପ୍ନ ଦେଖାଉଛନ୍ତି । ବିଶେଷ କରି ପୁରୀସଦର ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ବିଜୁ ଜନତାଦଳର ପ୍ରାର୍ଥୀ ପୂର୍ବତନମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ବିଜେପିର ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ । ସେହିପରି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଓ ବିଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ବିଜେପିର ଓମପ୍ରକାଶ ମିଶ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ । ପିପିଲିରେ ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ । ନିର୍ବାଚନୀ ପାଣିପାଗ ଗରମ ଯୋଗୁଁ ଭୋଟରମାନେ ବିଭିନ୍ନ ଛକରେ ନିର୍ବାଚନୀ ଖଟିକରି ଆଲୋଚନାରେ ବ୍ୟସ୍ତ ରହୁଛନ୍ତି । ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଚାରରେ ଆଗୁଆ ଥିବାବେଳେ ପିନାକୀଙ୍କ ପ୍ରଚାର ଆରମ୍ଭ ହୋଇନାହିଁ ଶୁକ୍ରବାର ପ୍ରାର୍ଥୀପତ୍ର ଯାଞ୍ଚ ପରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ତାଲିକା ପ୍ରକାଶ ପାଇବ । ବର୍ତ୍ତମାନ ଏବେ ନେତାଙ୍କ ଭିଡ ଦେଖିବାକୁ ମିଳିବ ଗାଁ ଗାଁରେ । ତତ୍ ସହିତ ଭୋଟର ଏବେ ନେତାଙ୍କ ପାଇଁ ଭଗବାନ । ଏପରିକି ଚା ଦୋକାନ ଠାରୁ ଆରମ୍ଭ କରି ଘରେ ଘରେ ନିର୍ବାଚନ ଆଲୋଚନା ଜୋର ଧରିଲାଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ