ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ବଳରାମ ଦାସ


ହେମନ୍ତ କୁମାର ଗନ୍ତାୟତ

ମହାପ୍ରଭୁ ଜଗନ୍ନାଥ ଏବଂ ଏହାର ସଂସ୍କୃତି ଅତୀବ ରହସ୍ୟମୟ। ଏହି ସଂସ୍କୃତିରେ ବୈଦିକ ରୀତି – ନୀତି ଠାରୁ ଆରମ୍ଭ କରି ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ବିଧି – ବିଧାନାଦି ସହିତ ଅନେକ ତତ୍ତ୍ଵ ଭରି ରହିଛି। ଏହା ବ୍ୟତୀତ ଏକ ମୁଖ୍ୟ ଵିଷୟ ଦେଖିବାକୁ ମିଳେ, ତାହା ହେଉଛି ଭକ୍ତର ଅନନ୍ୟ ଭକ୍ତି। ଯାହା ଉପରୋକ୍ତ ରୀତି – ନୀତି ଓ ବିଧି – ବିଧାନାଦି ଠାରୁ ସର୍ଵ ଶ୍ରେଷ୍ଠ। ତେଣୁ ଏହାକୁ ଭକ୍ତ ଏବଂ ଭଗବାନଙ୍କ ମିଳନର ସଂସ୍କୃତି କୁହାଯାଏ। ଯାହାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି, ସେଥି ମଧ୍ୟରୁ ଗୋଟିଏ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏହି ଯାତ୍ରାରେ ଦାରୁବ୍ରହ୍ମ ଭକ୍ତର ଭାବନାକୁ ନେଇ ସେ, ସେହି ପ୍ରକାରେ ଦର୍ଶନ ଦେଇଥାନ୍ତି । କାରଣ ମହାବାହୁ ଭକ୍ତର ଅଧୀନ। ତେଣୁ ସେ ନିଜର ସମସ୍ତ ଭକ୍ତଙ୍କ ଲାଗି ସବୁକିଛି କରି ପାରନ୍ତି। ତାହାର ନିଛକ ଦୃଷ୍ଟାନ୍ତ ହେଲେ ପଞ୍ଚସଖାଙ୍କ ମଧ୍ୟରେ ଜ୍ୟେଷ୍ଠ ଭକ୍ତକବି ବଳରାମ ଦାସ । ସେ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ ତଥା ପରମ ଭକ୍ତ। ଯାହାଙ୍କ ଭକ୍ତି କେବଳ ପୂଜା-ପଦ୍ଧତିରେ ସୀମିତ ନଥିଲା, ତାହା ଥିଲା ତାଙ୍କର ଏକ ଅଧିକାରପୂର୍ଣ୍ଣ ପ୍ରେମ ଓ ସଖ୍ୟ ଭାବ।
ଏହି ଭକ୍ତ ବଳରାମ ଦାସଙ୍କ ପିତା ଥିଲେ ସୋମନାଥ ମହାପାତ୍ର। ସୋମନାଥ ସେ ସମୟରେ ଗଜପତି ପ୍ରତାପରୁଦ୍ର ଦେବଙ୍କ ମନ୍ତ୍ରୀରୂପେ କାର୍ଯ୍ୟ କରୁଥିଲେ । ତେଣୁ ବଳରାମ ଦାସ ରାଜକୀୟ ବୈଭବ ଏବଂ ଉଚ୍ଚ ଶିକ୍ଷାର ଅଧିକାରୀ ହୋଇ ପାରିଥିଲେ। ତଥାପି ସେ ସାଂସାରିକ ବୈଭବକୁ ତ୍ୟାଗ କରି ଶ୍ରୀଜଗନ୍ନାଥଙ୍କ ଶରଣାପନ୍ନ ହେବାକୁ ଶ୍ରେୟ ମଣିଥିଲେ। ବଳରାମ ଦାସଙ୍କ ସାଧନା ଥିଲା ଜ୍ଞାନ-ମିଶ୍ରା ଭକ୍ତି। ସେ ପ୍ରଭୁଙ୍କୁ ନିଜର ପରମ ସଖା ବା ବନ୍ଧୁ ମନେ କରୁଥିଲେ। ତାଙ୍କର ଏ ଭାବ ଏତେ ନିବିଡ଼ ଥିଲା ଯେ ସେ ପ୍ରଭୁଙ୍କ ପ୍ରେମରେ ଉନ୍ମତ୍ତ ହୋଇ ବଡ଼ଦାଣ୍ଡର ଚାରିଆଡ଼େ ବୁଲୁଥିଲେ। ସେଥିପାଇଁ ସମସାମୟିକ ସମାଜ ତାଙ୍କୁ “ମତ୍ତ ବଳରାମ” ବୋଲି ଆଖ୍ୟା ଦେଇଥିଲା।
ଜଗନ୍ନାଥ ସଂସ୍କୃତିରେ ଭକ୍ତ ବଳରାମ ଦାସଙ୍କୁ କେନ୍ଦ୍ର କରି ଅନେକ ଅଲୌକିକ କାହାଣୀ ପ୍ରଚଳିତ ରହିଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବାଲିରଥ । ଯାହା ପ୍ରମାଣିତ କରେ ଯେ, ଭଗବାନ କେବଳ ଭାବର ଗ୍ରାହକ। ତା ବ୍ୟତୀତ ସେ ଭକ୍ତର କୌଣସି ବିଧି – ବିଧାନକୁ ଗୁରୁତ୍ବ ଦିଅନ୍ତି ନାହିଁ। ତେଣୁ କୁହାଯାଇଛି:
ଭାବର ଠାକୁର ଭକ୍ତିରେ ବିଭୋର
ଭକ୍ତ ଲାଗି ଭାବଗ୍ରାହୀ
ବିଧି ବିଧାନକୁ କିଛି ନ ଦେଖନ୍ତି
ଭକ୍ତର ଅଧୀନ ସେହି ।।
ଏହି ଭାବଗ୍ରାହୀଙ୍କ ନିକଟରେ ବିଧି ବିଧାନକୁ ନେଇ ଏକ ସୁନ୍ଦର କାହାଣୀ ରହିଛି :
ପଞ୍ଚଦଶ ଶତାବ୍ଦୀର କଥା । ସେହି ଦିନଥିଲା ଆଷାଢ଼ମାସ ଶୁକ୍ଳପକ୍ଷର ଦ୍ଵିତୀୟା ତିଥି, ଯାହା ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଷ ଯାତ୍ରା । ରଥାରୂଢ଼ ନିମନ୍ତେ ଠାକୁରମାନଙ୍କ ନୀତିକାନ୍ତି ଶ୍ରୀମନ୍ଦିରରେ ଚାଲିଥାଏ । ନୀତିରେ ସାମାନ୍ୟ ବିଳମ୍ବ ହେତୁ ପହଣ୍ଡି ବିଜେ କାର୍ଯ୍ୟାଦି ସମୟ ଠାରୁ କିଛି ବିଳମ୍ବ ହୋଇଯାଇଥାଏ । ଏହା ଜାଣିବା ପରେ ଭକ୍ତ ବଳରାମ ଦାସ ଚିନ୍ତା କଲେ ଯେ, ଚାରୁଲତାକୁ ଦେଖା କରିବା ପରେ ଶ୍ରୀମନ୍ଦିରକୁ ଯିବେ ବୋଲି । ଚାରୁଲତା ଥିଲେ ଜଣେ ବୃତ୍ତିରେ ବାରଙ୍ଗନା । ତାଙ୍କରି ଆଳୟକୁ ଏହା ପୂର୍ବରୁ ବହୁବାର ଭକ୍ତ ବଳରାମ ଦାସ ଯାଉଥିଲେ। ସେହି ଦିନ ମଧ୍ୟ ଗଲେ ଏବଂ ସେଠାରେ ଆମୋଦ ପ୍ରମୋଦରେ ଲିପ୍ତରହି ରଥଯାତ୍ରା କଥା ସେ ଭୁଲିଗଲେ । ଇତି ମଧ୍ୟରେ ବଡ଼ଦାଣ୍ଡରେ ରଥଟଣା ଆରମ୍ଭ ହୋଇଯାଇଥାଏ । ରଥ ଚକର ଘର୍ଘର ଶବ୍ଦରେ ଭକ୍ତ ଦାସଙ୍କ ତନ୍ଦ୍ରା ଭାଙ୍ଗିଗଲା । ସେ ଶ୍ରୀଜଗନ୍ନାଥଙ୍କ ମନମୋହନ ରୂପ ଓ ପବିତ୍ର ଘୋଷଯାତ୍ରାରେ ଭକ୍ତଙ୍କ ସମାଗମ କଥାକୁ ସ୍ମରଣ କରି ଉନ୍ମତ୍ତହୋଇ ଉଠିଥିଲେ ଏବଂ ସୁଚି ଅଶୁଚି ବିଷୟକୁ ତିଳେ ମଧ୍ୟ ଚିନ୍ତା ନ କରି ବାରଙ୍ଗନା କବରିରେ ଗୁନ୍ଥା ଯାଇଥିବା ରଜନୀଗନ୍ଧାର ଫୁଲ ମାଳଟିକୁ ଛିଣ୍ଡାଇ ଆଣି ପ୍ରଭୁଙ୍କ ଦର୍ଶନ ଆଶାରେ ବଡଦାଣ୍ଡକୁ ଉଦଣ୍ଡ କୀର୍ତ୍ତନକରି ପ୍ରବେଶ କଲେ । ସେ ଏପରି ଦେହି ସଙ୍ଗେ ସଙ୍ଗ ହୋଇଥିଲେ ଯେ , ନିଜ ଦେହ ଜ୍ଞାନକୁ ସମ୍ପୂର୍ଣ୍ଣ ରୂପରେ ଭୁଲି ଯାଇଥିଲେ ଏବଂ ସେହି ଅବସ୍ଥାରେ ରଥ ଉପରକୁ ଚଢ଼ି ବେଶ୍ୟାଲାଗି ହୋଇଥିବା ଫୁଲ ମାଳଟିକୁ ପ୍ରଭୁଙ୍କୁ ଅର୍ପଣ କରିବା ପାଇଁ ହାତକୁ ବଢାଇଦେଲେ। ଏ ସମୟରେ ପଣ୍ଡାମାନେ ଦେଖିଲେ ଯେ , ଭକ୍ତ ଦସଙ୍କ ମୁହଁରେ ଏବଂ ବକ୍ଷସ୍ଥଳରେ ବେଶ୍ୟା ଦେହର କଜ୍ଜ୍ଵଳ, ହଳଦୀ ଓ କସ୍ତୁରୀ ଦାଗାଦି ଲାଗି ରହିଛି । ଏହି ସେବକମାନେ ବଳରାମ ଦାସଙ୍କ ଚରିତ୍ରକୁ ପୂର୍ବରୁ ଭଲଭାବେ ଜାଣନ୍ତି । ତେଣୁ ପଣ୍ଡାମାନେ ଏତାଦୃଶ କାର୍ଯ୍ୟ ସହ୍ୟ କରି ପାରିଲେ ନାହିଁ ଏବଂ ସେମାନେ ତତ୍ କ୍ଷଣ ବଳରାମ ଦାସଙ୍କୁ ଲଜ୍ଜିତ କରିବା ସହ ଗଳା ଧକ୍କା ଦେଇ ରଥ ଉପରୁ ବାହାର କରିଦେଲେ । ସେବକ ମାନେ କହିଥିଲେ….
” ସ୍ନାନ ସୁଚି ତୋର ନାହିଁ
ଥିଲୁ ତୁ ବେଶ୍ୟା ଘରେ ଶୋଇ ।
କିମ୍ପା ଚଢ଼ିଲୁ ତୁ ରଥର
ଭକତ ପଣ ପୋଡୁ ତୋର ।। ”
ବଳରାମ ଦାସ ସମସ୍ତଙ୍କ ଆଗରେ ନିନ୍ଦିତ ହେଲେ , ସେ ଅପମାନର ନିଆଁରେ ଜଳିବା ସହିତ ତାଙ୍କର ବେନି ନୟନରୁ ଧାର ଧାର ଲୁହ ଝରିବାକୁ ଲାଗିଲା । ସେ ପ୍ରଭୁଙ୍କ ଆଡ଼କୁ ଚାହିଁ କହିଲେ , ହେ ପ୍ରଭୁ ! ତୁ ମୋ ପ୍ରାଣବନ୍ଧୁ ବୋଲି ଭାବି ମୁଁ ତୁମର ପାଖକୁ ଆସିଥିଲି କିନ୍ତୁ ମତେ ଦଣ୍ଡ ଦିଆଗଲା । ମୁଁ ଆଜି ତୁମକୁ ଚିହ୍ନି ଗଲି ସଖା ! ଏବେ ଏହି ବଡ଼ଦାଣ୍ଡରୁ ବାହୁଡ଼ି ଯାଉଛି । ବର୍ତ୍ତମାନ ତୁମ ରଥ ଦଉଡ଼ିକୁ କିଏ ଟାଣିବ ଟାଣୁ , ଏହା କହି ବଳରାମ ଦାସ ବଡ଼ଦାଣ୍ଡରୁ ଫେରିଆସି ସମୁଦ୍ର କୂଳର ବାଙ୍କି ମୁହାଣ ନିକଟସ୍ଥ ଚକ୍ରତୀର୍ଥ ଠାରେ ବାଲିର ତିନୋଟି ରଥ ନିର୍ମାଣ କରି ଠାକୁର ମାନଙ୍କୁ ବସାଇଲେ । ସେଠାରେ ସେ ଚକ୍ଷୁ ନିମିଳିତ ମୁଦ୍ରାରେ ଧ୍ୟାନସ୍ଥ ହୋଇ ଭାବ ସମାଧିରେ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଷୋଡ଼ଶ ଉପଚାରରେ ପୂଜା ଅର୍ଚ୍ଚନା କଲେ । ଏହି ସମୟରେ ହଠାତ୍ ଶୂନ୍ୟବାଣୀ ହେଲା – ଦାସେ ! ମୋର ଉତ୍ସଵ କ’ଣ ହେବ ? ମୂଳ ମୋର ଭକ୍ତ , ଅଶେଷ ସୁଖ ମୁଁ ମୋ ଭକ୍ତ କଥାମୃତରୁ ହିଁ ପାଉଛି । ତୋ ଏକନିଷ୍ଠ ଭାବ ସମାଧି ହିଁ ମୋତେ ଏଠାକୁ ଟାଣି ଆଣିଲା । ଏହା ଶୁଣି ବଳରାମ ଦାସ ନିଜ କୃତକର୍ମ ପାଇଁ ଅନୁତପ୍ତ ହୋଇ କାନ୍ଦି ଉଠି କହିଲେ , ହେ ପ୍ରଭୁ ! ମୁଁ ଯାହା କରିଛି ଓ କହିଛି ସେ ସବୁ ମୋ ଅଭିମାନର କଥା ମତେ କ୍ଷମା କରନ୍ତୁ । ସେତେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ନନ୍ଦିଘୋଷ , ତାଳଧ୍ଵଜ ଓ ଦେବଦଳନ ରଥ ଗୁଡ଼ିକ ଆଗକୁ ସୂତାଏ ବି ଚଳିଲେ ନଥିଲେ। ସୈନ୍ୟ-ସାମନ୍ତ ଓ ଅଶ୍ଵ-ଗଜମାନେ ମଧ୍ୟ ବହୁ ଶକ୍ତି ପ୍ରୟୋଗ କରି ନିସ୍ତେଜ ହେବାକୁ ଲାଗିଲେ। ରାଜା ପ୍ରତାପରୁଦ୍ରଦେବ ସମସ୍ତ ଦୃଶ୍ୟ ଦେଖି ଧ୍ୟାନ ମୁଦ୍ରାରେ ପ୍ରଭୁଙ୍କୁ ସ୍ମରଣ କଲେ । ହେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ! ସଦୟ ହୁଅନ୍ତୁ। ସେତିକି ବେଳେ ନୀଳାଧୀଶ ରାଜାଙ୍କୁ କହିଲେ ହେ ରାଜନ୍ ! ବଳରାମ ଦାସ ମୋର ପରମ ଭକ୍ତ । ସେ ଯେଉଁ ଅବସ୍ଥାରେ ଥିଲେବି ମୁଁ ତାକୁ ଭଲପାଏ । ମୋର ପରମ ଭକ୍ତକୁ ପଣ୍ଡା ସେବକମାନେ ବହୁ କଷ୍ଟ ଓ ଅପମାନିତ କରିଛନ୍ତି । ତେଣୁ ସେ ମତେ ଚକ୍ରତୀର୍ଥ ଠାରେ ବାଲିରଥ କରି ଅଟକାଇ ରଖିଛି । ଏବେ ଆମ୍ଭେ ଭାଇ ଭଉଣୀ ତାର ଭାବ ସମାଧିରେ ବନ୍ଧା ପଡିଛୁ । ଏହା ଶୁଣିବା ପରେ ରାଜା କାଳ ବିଳମ୍ବ ନ କରି ଅତ୍ୟନ୍ତ ସସମ୍ମାନରେ ଭକ୍ତ ବଳରାମ ଦାସଙ୍କୁ ପାଲିଙ୍କିରେ ପାଛୋଟି ଆଣି ବଡଦାଣ୍ଡର ରଥ ଉପରେ ବସାଇଲେ । ସମସ୍ତଙ୍କ ବିନୟ ପ୍ରାର୍ଥନା ଶୁଣି ଭକ୍ତ ବଳରାମ ଦାସ ପ୍ରସନ୍ନ ମୁଖରେ ଆଦେଶ ଦିଅନ୍ତେ , ତିନିରଥ ଘର୍ଘର ନାଦକରି ବଡ଼ଦାଣ୍ଡରେ ଗଡିବାକୁ ଲାଗିଲା । ଶେଷରେ ଭକ୍ତ ଦାସଙ୍କର ହିଁ ବିଜୟ ହେଲା ।
ଶ୍ରୀଜଗନ୍ନାଥ ଏବଂ ଭକ୍ତ ବଳରାମ ଦାସଙ୍କ ସମ୍ପର୍କ କେବଳ ଉପାସନା ଓ ଆରାଧନାର ସମ୍ପର୍କ ନୁହେଁ; ଏହା ହେଉଛି ଆତ୍ମାର ସହ ପରମାତ୍ମାର ସମ୍ପର୍କ। ବଳରାମ ଦାସ ତାଙ୍କ ଜୀବନ ଓ ସାହିତ୍ୟ ମାଧ୍ୟମରେ ପ୍ରମାଣିତ କରିଯାଇଛନ୍ତି ଯେ, ଜଗନ୍ନାଥ ହେଉଛନ୍ତି ଭାବର ଠାକୁର। ଯେଉଁଠି ନିଷ୍କପଟ ପ୍ରେମ ଓ ଆକୁଳତା ଥାଏ, ସେଠାରେ ଭଗବାନ ନିଜର ଆସନ ଛାଡ଼ି ଭକ୍ତ ପାଖକୁ ଧାଇଁ ଆସନ୍ତି। ଓଡ଼ିଆ ଜାତି ଓ ଜଗନ୍ନାଥ ସଂସ୍କୃତିର ଇତିହାସରେ ଭକ୍ତ ବଳରାମ ଦାସଙ୍କ ନାମ ସଦାସର୍ବଦା ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ବରିଷ୍ଠ ଦର୍ଶନ ଅଧ୍ୟାପକ
ଆସିକା, ଗଞ୍ଜାମ
୯୮୬୧୩୩୪୮୬୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ