ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପ୍ରସ୍ତୁତିର ୨ୟ ସମୀକ୍ଷା ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଚଳିତ ୨୦୧୯ମସିହା ନିମନ୍ତେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ପ୍ରସ୍ତୁତିର ଦ୍ୱିତୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଇଛାପୁରସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦେବୋତ୍ତର ସଂସ୍ଥାର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରି ରଥଯାତ୍ରା ପ୍ରସ୍ତୁତି ସମ୍ପର୍କରେ ବୀବରଣୀ ଉପସ୍ଥାପନ କରିଥିଲେ । ପ୍ରଥମେ ଶ୍ରୀ ଜିଉଙ୍କ ରଥ ଗଠନ,ନୀତିକାନ୍ତି ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଥଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ଓ ପୋଲିସ ଫୋର୍ସ ମୃତୟନ ସମ୍ପର୍କରେ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ସହ ବିସ୍ତୃତଭାବେ ଆଲୋଚନା କରିଥିଲେ । ସେହିପରି ବୈଠକରେ ଉପସ୍ଥିତ ଜନସ୍ୱାସ୍ଥ୍ୟ,ରାସ୍ତା ଓ କୋଠାବାଡି,ପୈାରସଂସ୍ଥା,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଅଗ୍ନିଶମ ବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀମାନଙ୍କ ସହ ସେମାନଙ୍କ ବିଭାଗୀୟ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଶ୍ରୀ ଜୀଉଙ୍କ ରଥ ଚାଲିବା ସମୟରେ ରଥର ସୁରକ୍ଷା ଦୃଷ୍ଟିରୁ ରଥ ଉପରେ ସୀମିତ ସଂଖ୍ୟକ ନୀତି କାର୍ଯ୍ୟରେ ସଂପୃକ୍ତ ସେବକମାନେ ଉପସ୍ଥିତ ରହିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଉପଜିଲ୍ଲାପାଳ ତଥା ଶ୍ରୀ ବଳଦେବଜୀଉଙ୍କ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ କୁମାର ମିଶ୍ର,ସଭ୍ୟ ଧିରେନ କୁମାର ସାହୁ,ବଳରାମ ସୁଆର,ରଞ୍ଜନ କୁମାର ପୃଷ୍ଟି,ଯଯାତୀ କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।