ଶ୍ୱଶୁର ଘରେ ଜ୍ୱାଇଁର ଦୌରାତ୍ମ୍ୟ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ଥାନା ଅନ୍ତର୍ଗତ ବଛାଳୋ ପଂଚାୟତ ଅଲଣା-୨ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘରେ ଜ୍ୱାଇଁ ପହଂଚି ପତ୍ନୀଙ୍କୁ ମାଡ ମାରିବା ସହ ନବଜାତ ଶିଶୁ କନ୍ୟାକୁ ଫୋପାଡି ଦେଇଥିଲେ । ଜ୍ୱାଇଁର ଏଭଳି କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଶାଶୁ ଭବାନୀ ଲେଙ୍କା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ବାଲିକୁଦା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଅଶୋକ ଦାସଙ୍କ ପୁତ୍ର ସୂର୍ଯ୍ୟପ୍ରକାଶ ଦାସ ଆମ ଘରକୁ ଆସି ମୋ ଝିଅକୁ ନେବା ପାଇଁ କହିଥିଲେ । ଆମ୍ଭେ କହିଲୁ ତୁମ୍ଭେ କୋର୍ଟରେ କେଶ କରିଛ ତତ୍‌ସହିତ ଝିଅର ୧୪ଦିନର ନବଜାତ ଶିଶୁ କନ୍ୟା ହୋଇଛି । ତାର ଦେହ ଭଲ ନାହିଁ ଆମ୍ଭେ ଏବେ ଝିଅକୁ ପଠାଇବୁ ନାହିଁ । ଏହା କହିବା ପରେ ମୋ ଝିଅକୁ ଟଣାଓଟରା କରି ମାରିବା ସହିତ ଛୋଟ ଶିଶୁକୁ ଫୋପାଡି ଦେଇଥିଲା । ଆମମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ସେ ବାରମ୍ବାର ଆମ ଘରକୁ ଆସି ଆମକୁ ଅସମ୍ମାନୀତ କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ କେଶ ନମ୍ବର ୮/୨୦୨୧ରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିଲା । ଗୁରୁବାର ଥାନା ପକ୍ଷରୁ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିବା ଥାନାଧିକାରୀ ଭରତ କୁମାର ବେହେରା ପ୍ରକାଶ କରିଛନ୍ତି । ପ୍ରକାଶଯୋଗ୍ୟ ଯେ ସୂର୍ଯ୍ୟପ୍ରକାଶଙ୍କ ନାମରେ ଆଗରୁ ବାଲିକୁଦା ଥାନାରେ ୩୦ ଅଗଷ୍ଟ ୨୦୨୦ରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ପତ୍ନୀ ରୁନି ଦାସ ପ୍ରଦାନ କରିଥିଲେ । ଏଥିରେ ତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ଓ ଦିଅର ତାଙ୍କୁ ମାଡ ମାରିବା ସହିତ ଯୌତୁକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନା ପକ୍ଷରୁ ୧୯୨/୨୦ ମାମଲା ରୁଜୁ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ