ସଂଘବଦ୍ଧ ଆକ୍ରମଣ : ଜଣେ ମୃତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ବନ୍ଦାଳୋ-ମଢ଼ିଆଳି ପଞ୍ଚାୟତ ନମକଣା ଗ୍ରାମରେ ସଂଘବଦ୍ଧ ଭାବେ ଜଣକୁ ହତ୍ୟା କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗ୍ରାମର ପିତାମ୍ବର ଜେନା ଓ ତାଙ୍କ ସହିତ ପଡୋଶୀ ଅଜୟ ଜେନାଙ୍କ ସମେତ ଏକ ଶିଶୁ କନ୍ୟା ଗତ ରବିବାର ସନ୍ଧ୍ୟାରେ ମଞ୍ଜୁରୀରୋଡ଼ ବଜାରରୁ ଘରକୁ ଫେରୁଥିଲେ । ନମକଣା ଓ ଗନ୍ଧିଆପଦୀ ଗ୍ରାମର ମଧ୍ୟ ସ୍ଥଳ ଏକ ସ୍ଥାନରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ପିତାମ୍ବରଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ସାଥିରେ ଥିବା ପଡୋଶୀ ଅଜୟ ଭୟଭୀତ ହୋଇ ଛୋଟ ଛୁଆଟିକୁ ଧରି ସେଠାରୁ ପଳାଇ ଯାଇ ନିକଟ ଚାଷ କିଆରୀରେ ଆତ୍ମଗୋପନ କରିଥିଲେ। ଦୁର୍ବୁତ୍ତ ମାନେ ମାରଣାସ୍ତ୍ରରେ ପିତାମ୍ବରଙ୍କୁ ଆକ୍ରମଣ କରି ସେଠାରୁ ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି କଟକ ପଠାଯାଇଥିଲା । ଯିବା ବାଟରେ ପିତାମ୍ବରଙ୍କର ପ୍ରାଣବାୟୁ ଉଡିଯାଇଥିବା କୁହାଯାଉଛି। ଦୁର୍ବୁତ୍ତ ମାନେ ତାଙ୍କ ମୁଣ୍ଡ, ଗୋଡ଼, ଆଣ୍ଠୁ କୁ ମାରଣାସ୍ତ୍ରରେ ହାଣିଥିବା ଜଣାପଡିଛି। ମୃତକଙ୍କ ପୁଅ ଗଣେଶ ଜେନା ଏନେଇ ଗ୍ରାମର ଶ୍ରୀଧର ଜେନା ଓ ତାଙ୍କ ପୁଅ ଭରତ, ଶତ୍ରୁଘନ ଓ ସଦାଶିବ ନାମରେ ଲିଖିତ ଭାବେ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉକ୍ତ ଚାରି ଜଣ ତାଙ୍କ ବାପାକୁ ହତ୍ୟା କରିଥିବା ପୁଲିସ ନିକଟରେ ଗଣେଶ ଜଣାଇଛନ୍ତି । ଏନେଇ ଥାନା ପକ୍ଷରୁ ୧୪୬/୨୨ରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଘଟଣାସ୍ଥଳକୁ ସାଇଣ୍ଟଫିକ ଟିମ ପରିଦର୍ଶନ କରିଥିବା ଜଣାପଡ଼ିଛି ।


