ସଡକ ସୁରକ୍ଷା କମିଟି ବୈଠକ
ବାଲେଶ୍ୱର- (ଯୁଗାବ୍ଦ ନ୍ୟୁଜ୍)- ଆଜି ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ବେପରୁଆ ଯାନ ଚାଳନାକୁ ନିୟନ୍ତ୍ରଣକୁ ଆଣିବା ଉପରେ ଗୁରୁତ୍ୱାରୋପ କରି ଅଧିକ କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ ଭାବେ ବିନା ହେଲମେଟରେ ଛାତ୍ରଛାତ୍ରୀ ବାଇକ ଚଳାଉଥିବା, ବିକୃତ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହାର, ଚିତ୍ରିତ ନମ୍ବର ପ୍ଲେଟ ନିମନ୍ତେ ଏଣିକି ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ । ଏହାକୁ କଡାକଡି ଭାବେ ପାଳନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ୨୦୧୮ ମସିହା ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ୨୪୯ଟି ଦୁର୍ଘଟଣାରେ ୧୨୩ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୨୦୧୯ରେ ସେହି ଛଅ ମାସ ମଧ୍ୟରେ ୨୫୩ଟି ଦୁର୍ଘଟଣା ଘଟି ୧୩୪ଜଣଙ୍କ ପ୍ରାଣହାନୀ ଘଟିଥିବା ଯୋଗୁଁ ଦୁର୍ଘଟଣାରେ ୧.୬୦ ପ୍ରତିଶତ ବୃଦ୍ଧି ଘଟିଥିବା ସୂଚୀତ କରାଯାଇଥିଲା । ସେହିପରି ଜୀବନହାନୀ ୮.୯୪ ପ୍ରତିଶତ ବୃଦ୍ଧି ଘଟିଛି । ଏଥି ନିମନ୍ତେ ଧରପଗଡ କରିବାକୁ ଅଧିକ ପୋଲିସ ଏବଂ ପରିବହନ କର୍ମଚାରୀ ମୁତୟନ କରାଯିବ । ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ସଡକ ଦୁର୍ଘଟଣାର ଯୁଗ୍ମ ତଦନ୍ତ ୨୪ ଘଂଟା ମଧ୍ୟରେ ହେବା ନିୟମ ରହି ଥିଲେ ହେଁ ତାହା ହୋଇ ପାରି ନ ଥିବା ଯୋଗୁଁ ଦୁର୍ଘଟଣାର କାରଣ ସଂପର୍କରେ ତଥ୍ୟ ହାସଲ ହୋଇପାରୁ ନ ଥିବା ଜାଣି କମିଟି ଉଦବେଗ ପ୍ରକାଶ କରିଥିଲା । ସେଥିପାଇଁ ଏଣିକି ପୋଲିସ, ଆଂଚଳିକ ପରିବହନ ବିଭାଗ ଏବଂ ଜାତୀୟ ରାଜପଥ ପ୍ରାଧିକରଣ କର୍ତୃପକ୍ଷ ଏ ଦିଗରେ ଗମ୍ଭୀରତାର ସହ ପଦକ୍ଷେପ ନେବାକୁ କୁହାଯାଇଛି । ଯୁଗ୍ମ ତଦନ୍ତ ଉପରାନ୍ତ କମିଟି ସେହି ସ୍ଥାନରେ କିପରି ପୁନର୍ବାର ଦୁର୍ଘଟଣା ସଂଘଟିତ ନ ହେବ ସେଥିପାଇଁ କି ଧରଣର କାର୍ଯ୍ୟକ୍ରମ ଗ୍ରହଣ କରାଯିବ ତାହା ସୁପାରିଶ୍ କରିବେ । ଦୁର୍ଘଟଣା ସଂପର୍କରେ ତୁରନ୍ତ ଖବର ପାଇବା, ପୀଡିତଙ୍କୁ ସେବା ଯୋଗାଇବାକୁ ପଦକ୍ଷେପ ତ୍ୱରିତ କରିବାକୁ ଆହୁରି ମଜବୁତ୍ କରିବା ପାଇଁ ହ୍ୱାଟସ୍ ଆପ୍ ଗ୍ରୁପ ଗଠନ କରିବାକୁ ଆରଟିଓଙ୍କୁ କୁହାଯାଇଛି ।