ସତ୍ୟ ସାହୁଙ୍କ ‘ମାଟି ଘୁଙ୍ଗୁର’ ଲୋକାର୍ପିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରରେ ଥିବା ଷ୍ଟେସନ କ୍ଲବ୍ ପରିସରରେ କବି ଶ୍ରୀଦେବଙ୍କ ପୌରୋହିତ୍ୟରେ କବି ସତ୍ୟ ସାହୁଙ୍କ କବିତା ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଏହି ମନୋଜ୍ଞ ପରିବେଶରେ ମୁଖ୍ୟଅତିଥି ଭାବରେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କୃତ କବି ଡ. ଫନୀ ମହାନ୍ତି, ସତ୍ୟ ସାହୁଙ୍କ କବିତା ପୁସ୍ତକ ‘ମାଟି ଘୁଙ୍ଗୁର’ ଲୋକାର୍ପଣ କରି ଫକୀରମୋହନଙ୍କ ମାଟିକୁ ପ୍ରଥମେ ପ୍ରଣାମ ଜଣାଇବା ସହ ‘କବିର ପୃଷ୍ଟପୋଷକତା ଯେତେ ଯାହା ଥିଲେ ବି କବି ସଫଳ ହୋଇପାରିବ ନାହିଁ ଯଦି ତା କବିତା ଭିତରେ ହୃଦୟ ନଥିବ, ଭାବ ପ୍ରବଣତା ନ ଥିବ । ଜଣେ କବି ତମାମ ଜୀବନ କାଳ ଶବ୍ଦ ଓ ନୀରବତା ମଧ୍ୟରେ ଛନ୍ଦି ହୋଇଥାଏ । ସେ ନିଜର ଦୃଢ଼ୋକ୍ତି ପ୍ରକାଶ କରିଥିଲେ କି ପୁରସ୍କାର ସାହିତ୍ୟର ମାପକାଠି ବା ମାନଦଣ୍ଡ ନୁହେଁ ।’ ଅନ୍ୟତମ ଅତିଥି ଭାବରେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା କହିଥିଲେ କି ଯେଉଁ କବିତା ପଢ଼ିଲା ପରେ ଭଲ ଲାଗେ ଏବଂ ଅନେକ ବର୍ଷ ଯାଏଁ ମନେ ରହିଯାଏ, ତାହା ହିଁ ଭଲ କବିତା । ଯେଉଁ କବିତା ଭିତରେ ଜଣେ ପାଠକ ନିଜକୁପାଇ ପାରିଲା ତାହା ମଧ୍ୟ ଏକ ସଫଳ କବିତା । କବିତା ପାଠକକୁ ଛୁଇଁ ନପାରିଲେ ତାକୁ ବିଫଳ କବିତା କହିହେବ ନାହିଁ, ବରଂ ତାହା ଅସମ୍ପୂର୍ଣ୍ଣ କବିତା ବୋଲି କୁହାଯାଇପାରେ । ବରେଣ୍ୟ ଅତିଥି ଭାବରେ ଯଶସ୍ୱୀ କବି ସୂର୍ଯ୍ୟ ମିଶ୍ର କହିଥିଲେ କି ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ କବି । କବି ଯେବେ କବିତା ଲେଖେ ତା’ ଭିତରେ ଥିବା ବ୍ୟକ୍ତିସତ୍ତା କବିସତ୍ତାରେ ରୂପାନ୍ତରିତ ହୋଇଥାଏ । ଆତ୍ମା ସହିତ କଥା ହେବା ହିଁ କବିତା । ଏହି ଅବକାଶରେ ସୂର୍ଯ୍ୟ ମିଶ୍ର ନିଜର ଅଭିବ୍ୟକ୍ତି ଯୋଡ଼ିଥିଲେ କି ସବୁ ନିର୍ମମ ବାସ୍ତବତା ସତ୍ତ୍ୱେ ମଣିଷ ସ୍ୱପ୍ନ ଦେଖେ । ଏହା ମଣିଷର ସହଜାତ ପ୍ରବୃତ୍ତି । ଖ୍ୟାତନାମା ଗୀତିକାର ପଂଚାନନ ନାୟକ ନିଜର ଭାବବିହ୍ୱଳ ଉକ୍ତିରେ ‘ସିଂହାସନ ରକ୍ତରେ ତିଆରି ମାତ୍ର କବିତା ପ୍ରେମରୁ ହିଁ ସୃଷ୍ଟି’ ବୋଲି ମତପୋଷଣ କରିବା ସହ ନିଜ ଗୀତରେ ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ସେ କହିଥିଲେ କି ନିରୋଳା ମାଟିଆ ନହେଲେ ବା ମାଟିମନସ୍କ ନହେଲେ ଜଣେ କବି ହୋଇପାରିବ ନାହିଁ । ସମକାଳର କବି ସଂଜିତ ବଳ ସତ୍ୟ ସାହୁଙ୍କ କବିତାକୁ ନେଇ ଓଡ଼ିଆ କବିତାର ଏକ ନୂତନ ସମ୍ଭାବନା ଦେଖିଥିବା କଥା ପ୍ରକାଶ କରିଥିଲେ । ‘ମାଟି ଘୁଙ୍ଗୁର’ର ପ୍ରକାଶକ କବି ବାଦଲ ମହାନ୍ତି ପ୍ରକାଶକୀୟ ଅଭିବ୍ୟକ୍ତି ବଖାଣିଥିଲେ । ଆରମ୍ଭରେ କବି ସତ୍ୟ ସାହୁ ନିଜ ସୃଜନ କଥାରେ ଓଡ଼ିଶାର ଅନେକ ବରିଷ୍ଠ ଯଶସ୍ୱୀ କବିମାନଙ୍କ ଦ୍ୱାରା କିଭଳି ପ୍ରଭାବିତ ହୋଇଛନ୍ତି ନିଜ ଅନୁଭବରେ ଉଚ୍ଚାରଣ କରିଥିଲେ । ଲୋକାର୍ପଣ ଉତ୍ସବରେ କବୀ ଡ. ମମତା ସାହୁ ସ୍ୱାଗତ ସମ୍ଭାଷଣ ରଖିଥିଲାବେଳେ ନବପ୍ରଜନ୍ମର ଗାଳ୍ପିକ ସଂଜୟ ପଣ୍ଡା ଉପସ୍ଥିତ ବିଦଗ୍ଧ ସାରସ୍ୱତ ପ୍ରେମୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।