ସଦର ବ୍ଲକରେ ଖତ ଖାଉଛି ଭିନ୍ନକ୍ଷମ ଟ୍ରାଇ ସାଇକଲ
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲାରେ ପ୍ରତିବର୍ଷ ଭିନ୍ନକ୍ଷମ ଚିହ୍ନଟ କ୍ୟାମ୍ପ ଆୟୋଜିତ ହୋଇ ହିତାଧିକାରୀଙ୍କୁ ପ୍ରମାଣପତ୍ର ସହ ଆବଶ୍ୟକ ସ୍ଥଳେ ଦୈନନ୍ଦିନ ବ୍ୟବହାର ପାଇଁ ବିଭିନ୍ନ ଉପକରଣ ମଧ୍ୟ ପ୍ରଦାନ କରାଯାଉଛି । ତେବେ ଜିଲାର ଶାରୀରିକ ଅକ୍ଷମ ଥିବା ସମସ୍ତ ବ୍ୟକ୍ତିଙ୍କୁ ଏକକାଳୀନ ପରିରବର୍ତ୍ତେ ପ୍ରଶାସନ ପକ୍ଷରୁ ପର୍ଯ୍ୟାୟ କ୍ରମେ ଏହି ଉପକରଣ ପ୍ରଦାନ କରାଯାଉଛି । ଜିଲା ସ୍ତରରେ ଏବଂ ବଭିନ୍ନ ବ୍ଲକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଉପକରଣ ପ୍ରଦାନ କରାଯାଇଥାଏ । ଏବେ ମଧ୍ୟ ଜିଲାର ଶହଶହ ଭିନ୍ନକ୍ଷମ ବ୍ୟକ୍ତି ଉପକରଣ ଅପେକ୍ଷାରେ ଥିବା ବେଳେ ବିଭିନ୍ନ ସମୟରେ ଜିଲାପାଳଙ୍କଠାରେ ଆପତ୍ତି ମଧ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଆସିଥିବା ଟ୍ରାଇ ସାଇକେଲଗୁଡ଼ିକ ସଦର ବ୍ଳକ ପରିସରରେ ନଷ୍ଟ ହେବାକୁ ନେଇ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ବ୍ଲକର ଶିଡ଼ିତଳେ ଏକାଧିକ ଟ୍ରାଇ ସାଇକଲ ଦୀର୍ଘଦିନ ଧରି ପଡ଼ି ରହିବା ଫଳରେ ଏଥିରେ କଳଙ୍କି ଲାଗି ଏହା ନଷ୍ଟ ହେବାକୁ ବସିଛି । ତେବେ ଏ ସମ୍ପର୍କରେ ବ୍ଲକର ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ତାହା ପ୍ରଥମରୁ ଅକାମୀ ଥିବା ଯୋଗୁଁ ଏହା ହିତାଧିକାରୀଙ୍କୁ ବଣ୍ଟନ କରାଯାଇ ନଥିଲା । ଏହାକୁ ଯୋଗାଣକାରୀ ସଂସ୍ଥା ଫେରାଇ ନେବା କଥା । ମାତ୍ର ସମ୍ପୃକ୍ତ ସଂସ୍ଥାର ପ୍ରତିନିଧି ଏହି ଟ୍ରାଇ ସାଇକଲକୁ ନେବାକୁନ ଆସିବା ଯୋଗୁଁ ସେଗୁଡ଼ିକୁ ଶିଡ଼ିତଳେ ରଖାଯାଇଥିବା କୁହାଯାଇଛି ।