ସରକାରଙ୍କ କଟକଣାକୁ ମାନୁ ନାହାନ୍ତି ଲୋକେ
ହାଟଡ଼ିହି:କରୋନା ପାଇଁ କେନ୍ଦ୍ର ସରକାର ୨୧ଦିନ ଲକଡାଉନ ଘୋଷଣା କରିବା ପରେ ଏହି କଟକଣାକୁ କିଛି ଲୋକ ବେଖାତିର କରି ଓ ବଜାର ଘାଟରେ ଏକଯୁଟ ହେବା ପରିତାପର ବିଷୟ ପାଲଟିଛି । ଛେନାପଦି ବଜାରଟି ସମ୍ପୁର୍ଣ୍ଣ ବନ୍ଦ ଥିବାବେଳେ ପରିବା ମାର୍କେଟରେ ଆଜି ସକାଳୁ ସକାଳୁ ପ୍ରବଳ ଗହଳି ଲାଗି ରହିଥିଲା । ଲୋକମାନେ ସରକାରଙ୍କ କଟକଣାକୁ ନମାନି ପରିବା କିଣିବା ଏହି କଟକଣାକୁ ଉପହାସ କରିବା ସଦୃଷ ଲାଗୁଥିଲା । ସେହିପରି ମୁଗୁପୁର ବଜାରରେ ମଧ୍ୟ ସମାନ ଅବସ୍ଥା । ଗୋଟିଏ ଗୋଟିଏ ପରିବା ଦୋକାନ ସମ୍ମୁଖରେ ୨୦ରୁ ୩୦ଲୋକଙ୍କ ଗହଳି ବୁଦ୍ଧିଜିବୀ ମାନଙ୍କୁ ଚିନ୍ତାରେ ପକାଇଥିଲା । ଶାଳଣିଆଁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଅନେକ ଦୋକାନ ବଜାର ଖୋଲା ରହିବା ସହିତ ଭିଡ ହେବାରୁ କିଛି ବ୍ୟକ୍ତି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବାପରେ ବିଡିଓଙ୍କ ନିର୍ଦ୍ଦେଶରେ ପୁଲିସ ସେହି ବଜାରକୁ ଯାଇ ଲୋକଙ୍କୁ ଘଉଡାଇବା ସହିତ ଦୋକାନ ବଜାରକୁ ବନ୍ଦ କରିଥିଲେ । ସେହିପରି କିଛି ବ୍ୟବସାୟୀ ଚଢ଼ାଦରରେ ଗ୍ରୋସରୀ ସାମଗ୍ରୀ ବିକ୍ରୀ କରୁଥିବା ନେଇ ଅଭିଯୋଗ ହେଉଛି । ପାଟିରେ ଯାହା ପସୁଛି ତାହା ଲୋକଙ୍କ ଠାରୁ ନେଉଛନ୍ତି । ଫଳରେ ଖାଉଟି ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।