ବ୍ୟବସାୟୀ ମାନଙ୍କୁ ନେଇ ଉପଜିଲ୍ଲାପାଳଙ୍କ ଜରୁରୀ ବୈଠକ
ଛତ୍ରପୁର : କରୋନା ସଂକ୍ରମଣ ଦିନକୁ ଦିନ ଭୟାବହତା ରୂପେ ନେଇଛି । ଏଣୁ ଏଥିରେ ସୁରକ୍ଷିତ ରହିବା ପାଇଁ ଘରୁ ପଦାକୁ ନ ବାହାରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷିତ ନେଇ ବ୍ୟାପକ ସଚେତନତା ସହ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଜରୁରୀ ସାମଗ୍ରୀ ବାବଦରେ ତେଜରାତି, ପନିପରିବା, ଔଷଧ ଆଦି କେତେକ ଦୋକାନ ବଜାର ଖୋଲିବା ପାଇଁ ରହିଛି । ଏଣୁ ଏହି ବ୍ୟବସାୟୀମାନେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଛତ୍ରପୁର ସହରର ଥିବା ତେଜରାତି, ପନିପରିବା, ମାଛମାଂସ, ଅଣ୍ଡା ବ୍ୟବସାୟ ସଂଘର ମୁଖିଆମାନଙ୍କୁ ଡାକି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ତାଗିଦ୍ କରିଛନ୍ତି । ବ୍ୟବସାୟ ବେଳେ ଗ୍ରାହକମାନଙ୍କ ମଧ୍ୟରେ ଦୂରତ୍ୱ ପାଇଁ ଚୂନରେ ଗୋଲ ପକାଇକୁ କହିଥିଲେ । ସାମଗ୍ରୀ କିଣିବା ବେଳେ ଯେପରି ଦୂରତ୍ୱ ରକ୍ଷା କରାଯାଇପାରିବ । ବ୍ୟବସାୟୀଙ୍କ ଦୋକାନ ସମ୍ମୁଖରେ ହ୍ୱାଟସପ୍ ନମ୍ବର ଉପଲବ୍ଧ ରଖିବେ । ଯେ କୌଣସି ଗ୍ରାହକ ଉକ୍ତ ହ୍ୱାଟସପ୍ ନମ୍ବରରେ ତେଜରାତି ସାମଗ୍ରୀର ତାଲିକା ତଥା ସୂଚୀ ଆଗୁଆ ଦୋକାନୀକୁ ପଠାଇବେ । ସେମାନଙ୍କ ତାଲିକା ଅନୁସାରେ ସାମଗ୍ରୀ ପ୍ରସ୍ତୁତ ହେବା ପରେ ଗ୍ରାହକଙ୍କୁ ଡାକି ତୁରନ୍ତ ସାମଗ୍ରୀ ହସ୍ତାନ୍ତର କରାଯିବ । ଫଳରେ ଦୋକାନରେ ଭିଡ ସଂଖ୍ୟା ହ୍ରାସ ପାଇବ ଏବଂ ଲୋକମାନେ ସୁରକ୍ଷିତ ଭାବେ ସାମଗ୍ରୀକୁ ନେଇପାରିବେ ବୋଲି ଉପଜିଲ୍ଲାପାଳ କହିଥିଲେ । ସେହିପରି ପନିପରିବା ଦୋକନା ଗୁଡିକ ସହରର ବିଭିନ୍ନ ପ୍ରାନ୍ତରେ ଖୋଲାଯିବ । ଯଦ୍ୱାରା ଗୋଟିଏ ସ୍ଥାନରେ ଭିଡ ଯମିବ ନାହିଁ । ମାଛ ଓ ମାଂସ ଦୋକାନୀ ମଧ୍ୟ ପ୍ରତି ଗ୍ରାହକୁ ଦୂରତ୍ୱ ରଖା କରିବା ସହ ଦୋକନା ସମ୍ମୁଖରେ ଭିଡ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବ୍ୟତିକ୍ରମ କରାଗଲେ ସଂପୃକ୍ତ ଦୋକାନୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଏସ୍ଡିପିଓ ଗୌତମ କିଷାନ୍, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ ।


