ସରକାରଙ୍କ ମେଳାଭୂମି ମଦ କୁଡ଼ିଆକୁ ବିରୋଧ ପାଇଁ ଗଣ ସଂଗଠନଙ୍କ ଧାରଣା ୧ରେ
ବାଲେଶ୍ୱର, (ସରୋଜ ପଣ୍ଡା) : ସରକାରଙ୍କ ମେଳାଭୂମିରେ ମଦ କୁଡ଼ିଆ ସ୍ଥାପନ ନୀତିକୁ ବିରୋଧ କରି ଏକାଧିକ ଗଣ ସଂଗଠନର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ସ୍ଥାନୀୟ ଉଠାଜଳସେଚନ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ସଭାପତି ପ୍ରଭାକର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ପର୍ଯ୍ୟଟନ ବିଭାଗ ପକ୍ଷରୁ ବେଳାଭୂମିରେ ‘ମଦ କୁଡ଼ିଆ’ ଖୋଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଏହି ବୈଠକରେ ଦୃଢ଼ ବିରୋଧ କରାଯାଇଥିଲା । ଏନେଇ ଆସନ୍ତା ୧ ତାରିଖ ଦିନ ବାଲେଶ୍ୱର ଜିଲାପାଳଙ୍କ ଫାଟକ ସମ୍ମୁଖରେ ମିଳିତ ଗଣଧାରଣା ପାଇଁ ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ବାଲେଶ୍ୱରର ପ୍ରାୟ ୬୫ଟି ସଂଗଠନ ତରଫରୁ ଜିଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇ ସରକାରଙ୍କ ‘ମଦକୁଡ଼ିଆ’ ପ୍ରତିଷ୍ଠା ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଛି ବୋଲି ମୋନାର ସାଧାରଣ ସମ୍ପାଦିକା ମମତା ମହାପାତ୍ର ବୈଠକରେ ସୂଚନା ଦେଇଥିଲେ । ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା, ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ଆଇନଜୀବରି ନିରଞ୍ଜନ ପରିଡ଼ା, କୃଷି ବୈଜ୍ଞାନିକ ଡ. କେଶବ ଚରଣ ପଣ୍ଡା, ସାମାଜିକ କର୍ମୀ ଅରୁଣ ଜେନା, ସମରେନ୍ଦ୍ରନାଥ ଦାସ, ନାରୀନେତ୍ରୀ ସରସ୍ୱତୀ ପଣ୍ଡା, ଜିଲା ପରିଷଦ ସଭ୍ୟ ସୀତାରାମ ପ୍ରଧାନ, ପୂର୍ବତନ କାଉନସିଲର ଦେବାଶୀଷ ସିଂହ, ଉତ୍କଳ ମହିଳା ସମିତିର ଜିଲ୍ଲା ସଭାନେତ୍ରୀ ବନ୍ଦନା ବିଶ୍ୱାସ, ଶିକ୍ଷାବିତ୍ ବେଣୁଧର ସାହୁ, ନିରଞ୍ଜନ ରାଉତ, ଡ. କ୍ଷିତୀଶ୍ୱର ଦାଶ, କୃଷକନେତା କମଳାକାନ୍ତ ନାୟକ ଓ ସନ୍ଦୀପ କୁମାର ନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଡ଼ିଶାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବାପାଇଁ ଓ ‘ମଦକୁଡ଼ିଆ’ ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ସେମାନଙ୍କ ବକ୍ତବ୍ୟରେ ଦାବି କରିଥିଲେ । ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ପ୍ରଫୁଲ୍ଲ କୁମାର ଦାସ ଶେଷରେ ଧନ୍ୟବାଦ ଦେଇଥିଲେ ।