ସରପଂଚଙ୍କୁ ଫୁଲହାର ଦେଇ ବିଦାୟ ନେଲେ ପ୍ରବାସୀ

ନାଉଗାଁ, (ଓ୍ବାଇଏନ୍ଏସ୍): ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାନାଦି ପ୍ରକାର ଅବ୍ୟବସ୍ଥା ଓ ବିଶୃଙ୍ଖଳା ଦେଖିବାକୁ ମିଳିଛି । ପ୍ରବାସୀମାନଙ୍କର ବିଭ୍ରାଟକୁ ନେଇ ଅନେକ ଅଭିଯୋଗ ମଧ୍ୟ ଆସିଛି । କିନ୍ତୁ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଛି । ଯାହାକି ସାଧାରଣରେ ସବୁ ଧାରଣାକୁ ଭୁଲ୍ ସାବ୍ୟସ୍ତ କରିଛି । ଏହିପରି ଏକ ଦୃଶ୍ୟ ଦେଖିବାକୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କୋରୁଅ ପଂଚାୟତରେ । ଏଠାରେ ପ୍ରବାସୀଙ୍କର ସଂଗରୋଧ ଅବଧି ଶେଷ ହେବା ପରେ ଯେତେବେଳେ ଘରକୁ ବାହାରିଲେ ସ୍ଥାନୀୟ ସରପଂଚକୁ ଫୁଲହାର ଦେବା ସହିତ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳିଥିଲା । ଯାହାକି ସ୍ଥାନୀୟ ଅଂଚଳରେ ଏକ ନିଆରା ଭାବନା ସୃଷ୍ଟି ହୋଇଛି । ସୂଚନା ମୁତାବକ ପ୍ରବାସୀମାନଙ୍କୁ ରହିବା ପାଇଁ ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ୪୭ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର କରାଯାଇଛି । ଏହା ମଧ୍ୟରୁ ପାଖାପାଖି ୧୮ଟି କେନ୍ଦ୍ରରେ ଏବେ ପ୍ରବାସୀମାନେ ରହୁଥିବା ଜଣାଯାଇଛି । ଏମାନଙ୍କର ବୁଝାସୁଝା କରିବା ପାଇଁ ପଂଚାୟତର ସରପଂଚଙ୍କୁ ଦାୟିତ୍ୱ ଦିଆଯାଇଛି । ସରପଂଚକୁ ସହଯୋଗ କରିବାକୁ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କମିଟି ଗଠନ କରାଯାଇଛି । ଯାହାଦ୍ୱାରା କେନ୍ଦ୍ରରେ ଖାଦ୍ୟ, ବିଦ୍ୟୁତ, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବାର ସଠିକ ପରିଚାଳନା କରାଯାଇପାରିବ । କିନ୍ତୁ ନାଉଗାଁ ବ୍ଳକର ଅଧିକାଂଶ ପଂଚାୟତର କେନ୍ଦ୍ରରରେ ଅବ୍ୟବସ୍ଥା ହୋଇଥିବା ଖବର ପ୍ରକାଶ ପାଇଛି । କିନ୍ତୁ କୋରୁଅ ପଂଚାୟତର ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି କେନ୍ଦ୍ରରେ ୭୬ଜଣ ପ୍ରବାସୀ ବିଭିନ୍ନ ରାଜ୍ୟରୁ ଆସି ରହିଥିଲେ । ଏଥିରେ ୪ଜଣ ମହିଳା,୪ଜଣ ଶିଶୁ ଓ ୬୮ଜଣ ପୁରୁଷ ପ୍ରବାସୀ ରହିଥିଲେ । ପଂଚାୟତର ସରପଂଚ ଅରଣ୍ୟ ନାୟକ କେନ୍ଦ୍ରରେ ଦୈନିକ ୧୮ ଘଂଟା ତଥା ସକାଳ ୬ଟାରୁ ରାତ୍ର ୧୨ଟା ପର୍ଯ୍ୟନ୍ତ ସମୟ ଦେଇ ପ୍ରତ୍ୟେକ ଦିନ ଖାଦ୍ୟର ସୁବ୍ୟବସ୍ଥା କରିବା ଓ ଅସୁବିଧା ଆଦି ପଚାରି ବୁଝୁଥିବା ପ୍ରବାସୀମାନେ ପ୍ରକାଶ କରିଛନ୍ତି । ଏପରିକି ସରପଂଚଙ୍କ ତତ୍ୱାବଧାନରେ ପ୍ରତ୍ୟେକ ଦିନ କେନ୍ଦ୍ର ପରିସରରେ ସକାଳ ଓ ଅପରାହ୍ନ ସମୟରେ ଯୋଗ ଓ ବ୍ୟାୟମ ଆଦି କରାଯାଉଥିଲା । ଏହା ସହିତ ସମସ୍ତ ଅନ୍ତେବାସୀଙ୍କର ସ୍ୱାବ ସଂଗ୍ରହ ପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କୁ ଅନୁରୋଧ କରି ଏକକାଳିନ ସମସ୍ତଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ବୋଲି କହିଛନ୍ତି । ଏହି ବ୍ଲକରେ ପ୍ରତିଦିନ ଅନ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ହେଉଥିବା ଗଣମାଧ୍ୟମରେ ଖବର ଶୁଣିଛି । କିନ୍ତୁ ସରପଂଚ ଅରଣ୍ୟ ବାବୁ ଆମମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଯତ୍ନ ନେଉଥିବା ପ୍ରବାସୀମାନେ କହିଥିଲେ । ଆଜିକୁ ମିଶାଇ ୨୨ ଦିନ ହୋଇଥିବା ବେଳେ ସମସ୍ତଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଛି । ପ୍ରଶାସନ ପକ୍ଷରୁ ଘରକୁ ଯିବା ପାଇଁ ନିଦ୍ଦେର୍ଶ ରହିଥିବାରୁ ଆମେ ଘରକୁ ଯାଉଛି । ଏହି ୨୨ ଦିନର ସଂର୍ପକ ଆମେ ସବୁଦିନ ପାଇଁ ମନେ ରଖିବୁ ବୋଲି ପ୍ରବାସୀମାନେ କହିଛନ୍ତି । ବିଦାୟ ସମୟରେ ସରପଂଚ ଅରଣ୍ୟଙ୍କୁ ଫୁଲହାର ପିନ୍ଧାଇବା ସହିତ ଧନ୍ୟବାଦ ଜଣାଇଥିଲେ । ସରପଂଚ ସେମାନଙ୍କୁ ପୁଷ୍ପଗୁଛ ଦେଇ ବିଦାୟୀ ଜଣାଇଥିଲେ । ବିଦାୟକାଳିନ ସମୟରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ପରିଡା,ସୁଶାନ୍ତ ପରିଡା, ହିରଣ୍ୟ ନାୟକ ଆଦି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ