ସର୍ବସାଧାରଣ ରାସ୍ତାକୁ ଜବରଦଖଲ ଅଭିଯୋଗ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା ନେରାଡ ପଞ୍ଚାୟତ ଆଖୁଆପଦା(ହିଞ୍ଜଳା) ଗ୍ରାମର ଏକ ସର୍ବସାଧାରଣ ରାସ୍ତାକୁ ଜନୈକ ବ୍ୟକ୍ତି ବର୍ଷବର୍ଷ ଧରି ଜବରଦଖଲ କରିଆସୁଥିବା ଅଭିଯୋଗ ହୋଇଛି । ୧୬ନଂ ଜାତୀୟ ରାଜପଥ ଠାରୁ ଗାଁ ଭିତରକୁ ଯାଇଥିବା ଉକ୍ତ ଗ୍ରାମ୍ୟରାସ୍ତା ନିକଟରେ ଶିବମନ୍ଦିର ସହିତ ଦୋଳମଣ୍ଡପ ଅଛି । ହେଲେ ଗ୍ରାମର ସ୍ୱାର୍ଥନ୍ୟଷ୍ଟ ବ୍ୟକ୍ତି ଅଦୈତ ପଲାଇ ରାସ୍ତାକୁ ଅବରୋଧକରି ବେଆଇନ ଭାବେ କାଠଗୋଲା କରିଛି । ଯେଉଁଥିପାଇଁ ଦେବାଳୟ ସ୍ଥାନ ସଙ୍କୁଚିତ ହୋଇଯାଇଥିବାବେଳେ ରାସ୍ତାରେ ଯାତାୟତ କରିବା ପାଇଁ ଘୋର ଅସୁବିଧା ହେଉଛି । ବ୍ୟକ୍ତି ଜଣକ ନିଜ ବେଆଇନ ବ୍ୟବସାୟକୁ ବଢାଇବା ପାଇଁ ସର୍ବସାଧାରଣ ସ୍ଥାନରେ ଆଉ ଏକ ରାସ୍ତା ନିର୍ମାଣ କରୁଥିବାବେଳେ ଗ୍ରାମବାସୀମାନେ ଏହାକୁ ବନ୍ଦ କରିବାରୁ ସେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଥାନାରେ ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ଗ୍ରାମବାସୀଙ୍କୁ ମାଡ ମାରିବା ସହ ବମ ପକାଇଦେବାକୁ ଧମକ ଦେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି । ଗ୍ରାମର ସୁଧାକର ପଲାଇ, ବିକାଶ କୁମାର ଜେନା, ଦିଲ୍ଲୀପ କୁମାର ରାଉତ, ବାବାଜୀ ପଲେଇ, ଗଦାଧର ପଲେଇ, ପ୍ରଶାନ୍ତ କୁମାର ପଲାଇ, ଜଗବନ୍ଧୁ ମହାପାତ୍ର, ଦୋଳଗୋବିନ୍ଦ ଦାସ, ଜିତୁନା ପଲାଇ, ଯତିନ୍ଦ୍ର ପଲାଇ ପ୍ରମୁଖ ଏବାବଦରେ ଥାନାରେ ଲିଖିତ ଭାବେ ଜଣାଇଛନ୍ତି ।


