ସଲମାନ୍ଙ୍କ ଅଭିମାନର କାରଣ କହିଲେ ପ୍ରିୟଙ୍କା
ମୁମ୍ବାଇ :ଦୀର୍ଘ ସମୟ ଧରି ବଲିଉଡ୍ରୁ ଦୂରରେ ଥିବାବେଳେ ଏବେ ଫିଲ୍ମ “ଦ ସ୍କାଏ ଇଜ୍ ପିଙ୍କ୍’ ଜରିଆରେ ବଲିଉଡ୍କୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ତେବେ ପ୍ରଥମେ ସେ ସଲମାନଙ୍କ ଅଭିନୀତ ଫିଲ୍ମ “ଭାରତ’କୁ ବାଛିଥିଲେ । ଏମିତିକି ଫିଲ୍ମର କିଛି ଭାଗ ସୁଟିଂ ମଧ୍ୟ ହୋଇସାରିଥିଲା । କିନ୍ତୁ ପ୍ରିୟଙ୍କା ଫିଲ୍ମକୁ ଅଧାରୁ ଛାଡ଼ିଦେଇଥିଲେ । ପ୍ରିୟଙ୍କାଙ୍କ ହଠାତ୍ ଏଭଳି ନିଷ୍ପତ୍ତି ଫିଲ୍ମର ନିର୍ଦ୍ଦେଶକ-ପ୍ରଯୋଜକଙ୍କ ସମେତ ସଲମାନଙ୍କୁ ମଧ୍ୟ ଶକ୍ତ ଧକ୍କା ଦେଇଥିଲା । ଯାହା ପରେ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରନାଙ୍କୁ ନିଆଯାଇଥିଲା ।
ସେ ସମୟରେ ଏହି ଖବରକୁ ନେଇ ଅନେକ ଚର୍ଚ୍ଚ ହୋଇଥିବା ବେଳେ ସଲମାନ ଓ ପ୍ରିୟଙ୍କାଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା । ଏ ନେଇ ଏବେ ପ୍ରିୟଙ୍କାଙ୍କୁ ପଚରାଯିବା ପରେ ସେ କହିଛନ୍ତି, ଯଦି ମୋତେ ଏହି ବିଷୟରେ କୌଣସି ପ୍ରତିକ୍ରିୟା ରଖିବାର ଥାନ୍ତା, ତେବେ ମୁଁ କେବେଠୁ ରଖି ସାରିଥାନ୍ତି । ସଲମାନ ଜଣେ ଭଲ ଅଭିନେତା । ମୁଁ ସବୁବେଳେ ତାଙ୍କର ପ୍ରଶଂସା କରିଛି । ସେ ମୋର ଏବଂ ନିକ୍ଙ୍କ ବିବାହ ଭୋଜିକୁ ଆସିଥିଲେ ଏବଂ ଆମେ ଦୁହେଁ ତାଙ୍କ ଘରକୁ ଯାଇଥିଲୁ । ମୁଁ ତାଙ୍କ ଭଉଣୀ ଅର୍ପିତାଙ୍କର ଜଣେ ଭଲ ବନ୍ଧୁ । ମୋର ଫିଲ୍ମ ଛାଡ଼ିବାକୁ ନେଇ ଆମ ସମ୍ପର୍କ ମଧ୍ୟରେ କୌଣସି ପ୍ରଭାବ ପକାଇ ନାହିଁ ।


