ସାଇକେଲ ଶୋଭାଯାତ୍ରା “ଟୁର୍ ଦି କଳିଙ୍ଗ”କୁ ସ୍ୱାଗତ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଠାରେ ସାଇକେଲ ଶୋଭାଯାତ୍ରା ଦଳ “ଟୁର୍ ଦି କଳିଙ୍ଗ”କୁ ସ୍ୱାଗତ କରାଯିବାପରେ ଏହି ଦଳକୁ ବିଦାୟ ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ ଏହି ସାଇକେଲ ଶୋଭାଯାତ୍ରା ଦଳଟି ବୁଧବାର ଗଜପତି ଜିଲାରେ ପ୍ରବେଶ କରି ମୋହନା, ଆର୍.ଉଦୟଗିରି, ରାୟଗଡ ଇତ୍ୟାଦି ବ୍ଲକ ବୁଲିବାପରେ ପାରଳାଖେମୁଣ୍ଡି ଠାରେ ପହଞ୍ଚି ରାତ୍ରି ଯାପନ କରିଥିଲେ । ଗୁରୁବାର ସକାଳେ ଏହି ଶୋଭାଯାତ୍ରା ଦଳ ପାରଳାଖେମୁଣ୍ଡିରୁ ବାହାରି କାଶୀନଗର ବ୍ଲକ ଦେଇ ରାୟଗଡ ଜିଲା ଅଭିମୁଖେ ବାହାରିଥିବା ଜଣାପଡିଛି । ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି ସାଇକେଲ ଶୋଭାଯାତ୍ରା ଦଳକୁ ସବୁଜ ପତାକା ଦେଖାଇ ବିଦାୟ ଦେଇଥିଲେ । ବିଦାୟ ଦେବା ସହ କିଛି ବାଟ ନିଜେ ମଧ୍ୟ ସାଇକେଲ ଚଲାଇ ଦଳକୁ ଉତ୍ସାହିତ କରିଥିଲେ । ଏହି ସାଇକେଲ ଶୋଭାଯାତ୍ରା ଦଳ ଭୁବନେଶ୍ୱରରୁ ବାହାରି ମୁଖ୍ୟତଃ ଇକୋ ଟ୍ୟୁରିଜିୟମ ତମ୍ବାଖୁ ବର୍ଜନ ପ୍ରଦୁଷଣ ମୁକ୍ତ ପରିବେଶ, ଦୁର୍ନିତୀମୁକ୍ତ ଭାରତ ଗଠନ ଇତ୍ୟାଦି ବିଭିନ୍ନ ସଚେତନତା ବାର୍ତ୍ତାନେଇ ରାଜ୍ୟ ସାରା ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡିଛି । ଜାତୀୟ ସାଇକେଲ ଆରୋହୀ ଯୋଗେନ୍ଦ୍ର ସିଂଙ୍କ ନେତୃତ୍ୱରେ ଏକ ୨୪ଜଣିଆ ସାଇକେଲ ଆରୋହୀ ଦଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ସାଇକେଲ ଆରୋହୀଙ୍କ ମଧ୍ୟରେ ମଧୂସୁଦନ ମିଶ୍ର, ସୁଧିର ଦାସ, ଦିଲ୍ଲୀର ଅମିତ ଗୋଏଲ ପ୍ରମୁଖ ସାମିଲ ରହିଥିବା ଜଣାପଡିଛି । ଏହି ସାଇକେଲ ଶୋଭାଯାତ୍ରା ଦଳକୁ ଗଜପତି ଟେନିସ କ୍ଲବ ଏବଂ ଅନ୍ୟାନ୍ୟ କିଛି ସଂଗଠନ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।