ସାହିତ୍ୟ ପତ୍ରିକା \”ମଧୁଧାରା’ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ମୁଖପତ୍ର ସାହିତ୍ୟ ପତ୍ରିକା \”ମଧୁଧାରା’ର ଶାରଦୀୟ ବିଶେଷାଙ୍କ ଗୋପଛକସ୍ଥିତ କମଳ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି । ମଧୁଧାରାର ସମ୍ପାଦକ ସରୋଜ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ କଥାକାର ଡ. ରାମଚନ୍ଦ୍ର ବେହେରା \”ମଧୁଧାରା’ର ଉନ୍ମୋଚନ କରି ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ବିକାଶ କ୍ଷେତ୍ରରେ କେନ୍ଦ୍ରାପଡ଼ାର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିବା ସହିତ ଉନ୍ମୋଚିତ ପତ୍ରିକାର ବିଶେଷତ୍ୱ ସମ୍ପର୍କରେ ଅବତାରଣା କରିଥିଲେ । ଏହି ଉତ୍ସବରେ ପତ୍ରିକାର ମୁଖ୍ୟ ସମ୍ପାଦକ ଭୁବନ ମୋହନ ଜେନା, କଥାକାର ପ୍ରଫେସର ଅତୁଲ ବଳ, ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ସାମ୍ୱାଦିକ ଦେବେନ୍ଦ୍ର ସୁଆର, ପ୍ରଫେସର ଯଚିନ୍ଦ୍ର କୁମାର ରାଉତ, ପ୍ରଫେସର ତପନ ପତି, ଗାଳ୍ପିକ ପ୍ରଦୀପ ନାୟକ, କଥାକାର ରତ୍ନାକର ନାୟକ, ଅଧ୍ୟାପକ ପବିତ୍ର ସାହୁ, ଆଳି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସୁଶାନ୍ତ ନାୟକ ଓ ଅଶୋକ ବାରିକ ପ୍ରମୁଖ ଯୋଗଦେଇ ଲୋକାର୍ପଣ ଉତ୍ସବ ଓ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । କବି ନବଜ୍ୟୋତି ରାୟ, କବି ପ୍ରେମାନନ୍ଦ ଖଣ୍ଡୁଆଳ, କବି ବୃନ୍ଦାବନ ଦାସ, କବି ରଞ୍ଜନ ବାଇ, କବି ପ୍ରମୋଦ ମଲ୍ଲିକ ପ୍ରମୁଖ ମଧୁଧାରାରେ ପ୍ରକାଶିତ ନିଜସ୍ୱ କବିତା ପାଠ କରିଥିଲେ । ସମ୍ପାଦନା ମଣ୍ଡଳୀ ପକ୍ଷରୁ କଥାକାର ମାତୃଦତ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଗାଳ୍ପିକ ମାନସ ପଣ୍ଡାଙ୍କ ସୌଜନ୍ୟ ସମ୍ପାଦନାରେ ବିଶିଷ୍ଟ ଚିତ୍ରଶିଳ୍ପୀ ସୁଧାଂଶୁ ସୂତାରଙ୍କର ଏକ ଚମତ୍କାର ଚିତ୍ରଟିଏ ପ୍ରଚ୍ଛଦ ଏବଂ ଅଶୋକ ପରିଡାଙ୍କ ଅଳଙ୍କାରରେ ପତ୍ରିକାଟି ସମୃଦ୍ଧ ହୋଇଛି । ସମୁଦାୟ ଆଠଟି ଫିଚର, ସତେଇଶିଟି କବିତା, ଆଠଟି ଗଳ୍ପ, ତିନୋଟି ପ୍ରବନ୍ଧ, ଦୁଇଟି ପୁସ୍ତକ ସମୀକ୍ଷା ପତ୍ରିକାରେ ସ୍ଥାନୀତ ହୋଇଥିବା ବେଳେ ୧୫୦ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାର ମୂଲ୍ୟ ମାତ୍ର ଶହେ ଟଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ