ସିରାଜୁଦ୍ଦିନ ଖଣିରେ କାର୍ଯ୍ୟ ନମିଳିଲେ ୩ ପନ୍ଚାୟତବାସୀଙ୍କ ଆନ୍ଦୋଳନ ଚେତାବନୀ
ଯୋଡା,(ସମୀର କୁମାର ଦାସ) : ଯୋଡା ଖଣିମଣ୍ଡଳର ବଳଦାସ୍ଥିତ ସିରାଜୁଦ୍ଦିନ ଖଣିରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପରିବହନ କାର୍ଯ୍ୟ ନମିଳିଲେ ୩ ପନ୍ଚାୟତବାସୀ ଗୁରୁବାର, ଆଗାମୀ ଦିନରେ ଆନ୍ଦୋଳନ କରିବାର ରଣନୀତି ପ୍ରସ୍ତୁତି କରିଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ସିରାଜୁଦ୍ଦିନ ଖଣି କର୍ତୃପକ୍ଷ ସ୍ଥାନୀୟ ଅଂଚଳର ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପରିବହନ କାର୍ଯ୍ୟ ଏବଂ ନିଜର ସମର୍ଥକଙ୍କୁ ନିଯୁକ୍ତି ଦେଇଥିବାବେଳେ ସ୍ଥାନୀୟ ଅଂଚଳବାସୀଙ୍କୁ ଉପେକ୍ଷା କରିଅଛି । ବାରମ୍ବାର ଖଣି କର୍ତୃପକ୍ଷଙ୍କୁ ନିଯୁକ୍ତି ଓ ପରିବହନ କାର୍ଯ୍ୟଦାବି ନେଇ ଜଣାଉଥିଲେ ହେଁ, କମ୍ପାନୀ କର୍ତୃପକ୍ଷ ହେୟଜ୍ଞାନ କରୁଥିବାରୁ ଅସନ୍ତୁଷ୍ଟ କାଳିମାଟି, ବଳଦା ଓ ନୟାଗଡ ପନ୍ଚାୟତର ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଗୁରୁବାର ବଡକାଳିମାଟି ଜଗନ୍ନାଥ ମନ୍ଦିର ପଡିଆରେ ଏକତ୍ରିତ ହୋଇ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଯଦି ଖଣି କର୍ତୃପକ୍ଷ ସେମାନଙ୍କ ଦାବି ପୂରଣ ଦିଗରେ ଦୃଷ୍ଟି ନଦିଅନ୍ତି ତେବେ ଖଣିର ଫାଟକ ସମ୍ମୁଖରେ ଅନଶନ କରିବା ସହିତ ଫାଟକରେ ତାଲା ପକାଇବାର ନିଷ୍ପତି ନେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗ୍ରାମର ଏକାଧିକ ଲୋକଙ୍କର ନିଜସ୍ୱ ଜମିକୁ ଏହି ଖଣି ଜବରଦଖଲ କରି ବ୍ୟବହାର କରୁଥିବାବେଳେ ସେମାନଙ୍କୁ ନିଯୁକ୍ତି କିମ୍ବା ଅନ୍ୟ କୌଣସି ଥଇଥାନ ମୂଳକ କାର୍ଯ୍ୟ ଦେଇନାହିଁ । ଏହାକୁ ନେଇ ଅଂଚଳରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ଏ ନେଇ ଖଣି କର୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।


