ସୁଖୋଇ ୩୦ଏମକେ-ଓ ରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲ୍ ବାୟୁ ସଂସ୍କରଣର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲ୍ ର ବାୟୁ ସଂସ୍କରଣକୁ ଆଜି ଓଡ଼ିଶା ଉପକୂଳ ଠାରୁ ଦୂରରେ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ , ଚାନ୍ଦିପୁରରେ ସକାଳ ୧୦.୩୦ ଘ.ରେ ସୁପରସୋନିକ୍ ଲଢ଼େଇ ବିମାନ ସୁଖୋଇ ୩୦ ଏମକେ-ଓ ରୁ ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି। ଏହି ଉଲ୍ଲେଖନୀୟ ଉଡ଼ାଣରେ ବିମାନରୁ ଲଞ୍ଚ କରାଯାଇଥିବା ମିଶାଇଲ୍ ସମସ୍ତ ମିଶନ୍ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପୂର୍ବ ନିର୍ଦ୍ଧାରିତ ଗତି ପ୍ରକ୍ଷେପଣ ପଥ (ଟ୍ରାଜେକ୍ଟୋରି) ର ଅନୁପାଳନ କରିଛି। ଏହି ଲଞ୍ଚ ବ୍ରହ୍ମୋସର ବିକାଶରେ ଏକ ପ୍ରମୁଖ ଉପଲବ୍ଧି ଅଟେ। ଏହା ଦେଶରେ ବାୟୁ ସଂସ୍କରଣ ବ୍ରହ୍ମୋସ ମିଶାଇଲର କ୍ରମାଗତ ଉତ୍ପାଦନ ପ୍ରଣାଳୀକୁ ସ୍ପଷ୍ଟ କରିଛି। ରାମଜେଟ୍ ଇଞ୍ଜିନର ମୁଖ୍ୟ ଭାଗ ସ୍ଥାପିତ କରୁଥିବା ପ୍ରମୁଖ ଏୟାରଫ୍ରେମ୍ ଆସେମ୍ବଲି ଭାରତୀୟ ଉଦ୍ୟୋଗ ଦ୍ବାରା ସ୍ବଦେଶୀ ଭାବରେ ବିକଶିତ କରାଯାଇଛି। ଏହି ଆସେମ୍ବଲିରେ ରାମଜେଟ୍ ଇନ୍ଧନ ଟ୍ୟାଙ୍କ ଏବଂ ନ୍ୟୁମାଟିକ୍ ଇନ୍ଧନ ଯୋଗାଣ ପ୍ରଣାଳୀ ସହିତ ଅଣ-ଧାତବ ବାୟୁ ଫ୍ରେମ୍ ସେକ୍ସନ ସାମିଲ୍ ରହିଛି। ପରୀକ୍ଷଣ ସମୟରେ, ଗଠନାତ୍ମକ କାର‌୍ୟ୍ୟକାରୀତା ଏବଂ କାର‌୍ୟ୍ୟଦକ୍ଷତା ପ୍ରମାଣିତ ହୋଇଛି। ବ୍ରହ୍ମୋସର ବାୟୁ ସଂସ୍କରଣର ଗତ ପରୀକ୍ଷଣ ଜୁଲାଇ ୨୦୨୧ ରେ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳ ପରୀକ୍ଷଣ ଫାୟାରିଂ ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଙ୍ଗଠନ (ଡିଆରଡିଓ), ବ୍ରହ୍ମୋସ, ବାୟୁ ସେନା ଏବଂ ଉଦ୍ୟୋଗର ପ୍ରଶଂସା କରିଛନ୍ତି। ଉଡ଼ାଣ ପରୀକ୍ଷଣରେ ସାମିଲ୍ ଟିମକୁ ମଧ୍ୟ ଅଭିନନ୍ଦନ ଜଣାଇ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗର ର ସେକ୍ରେଟାରୀ ଏବଂ ଡିଆରଡିଓ ର ଚେୟାରମ୍ୟାନ ଡା. ଜି. ସତିଶ୍ ରେଡ୍ଡୀ କହିଛନ୍ତି ଯେ ଡିଆରଡିଓ ର ବିଭିନ୍ନ ଲାବୋରାଟୋରି, ଶିକ୍ଷଣ ସଂସ୍ଥା, ଗୁଣବତ୍ତା ଆଶ୍ବାସନ ଏବଂ ପ୍ରମାଣୀକରଣ ଏଜେନ୍ସି, ସାର୍ବଜନିକ କ୍ଷେତ୍ରର ଉପକ୍ରମ ଏବଂ ଭାରତୀୟ ବାୟୁ ସେନା ଏହି ଜଟିଳ ମିସାଇଲ୍ ପ୍ରଣାଳୀର ବିକାଶ, ପରୀକ୍ଷଣ, ଉତ୍ପାଦନ ଓ ସମନ୍ବିତ ପ୍ରକ୍ରିୟାରେ ସାମିଲ୍ ହୋଇଛନ୍ତି। ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଶାଇଲର ବିକାଶ, ଉତ୍ପାଦନ ଏବଂ ବିପଣନ ପାଇଁ ଭାରତ (ଡିଆରଡିଓ) ଓ ରୁଷିଆ (ଏନପିଓଏମ୍) ମଧ୍ୟରେ ଏକ ସଂଯୁକ୍ତ ଉଦ୍ୟମ ଅଟେ। ବ୍ରହ୍ମୋସ ଏକ ଶକ୍ତିଶାଳୀ ଆକ୍ରମଣାତ୍ମକ ମିଶାଇଲ୍ ଅସ୍ତ୍ର ପ୍ରଣାଳୀ ଅଟେ ଯାହାକୁ ପୂର୍ବରୁ ସଶସ୍ତ୍ର ଫୋର୍ସରେ ସାମିଲ୍ କରାଯାଇ ସାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ