ସୁଗନ୍ଧିତ ଅଗରବତୀ ମଙ୍ଗଳଦୀପର ପ୍ୟାକ୍ର ବଜାର ପ୍ରବେଶ
(ଯୁଗାଦ୍ଧ ନ୍ୟୁଜ୍)ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍ ମଙ୍ଗଳଦୀପ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପୁରୀରେ ଏସମ୍ପର୍କିତ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ଆଇଟିସି ଅଗରବତୀ ବିଜ୍ନେସ୍ ମୁଖ୍ୟ ରବି ରାୟଭରମ୍ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମରେ ଅଗରବତୀ ପ୍ରସ୍ତୁତ କରିଥିବା ଗ୍ରାମୀଣ ମହିଳା ଏସ୍ଏଚ୍ଜି ଗ୍ରୁପ୍ ସଦସ୍ୟ, ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଏବଂ ଓଡ଼ିଶା ଗ୍ରାମୀଣ ବିକାଶ ତଥା ବିପଣନ ସମିତି(ଓରମାସ୍) ପଦାଧିକାରୀ ଉପସ୍ଥିତ ଥିଲେ । ଅଗରବତୀ ବିଜ୍ନେସ୍ ଆଇଟିସିର ଅନନ୍ୟ ଅଂଶ ବିଶେଷ । ଏଫଏମସିଜି କ୍ଷେତ୍ରରେ ଉଲ୍ଳେଖନୀୟ ଯୋଗଦାନରେ ଏହା ଗୁରୁତ୍ୱପୂର୍ଣ୍ଣ । କୁଟୀରଶିଳ୍ପ ଭାବେ ଅଗରବତୀ ପ୍ରସ୍ତୁତିକୁ ଗ୍ରହଣ କରାଯାଇ ୨୦୦୩ରୁ ଇତିମଧ୍ୟରେ ଦେଶର ୧୦ ,୦୦୦ ଲୋକଙ୍କ ଜୀବନଜୀବିକା ବିକାଶ ସମ୍ଭବ ହୋଇପାରିଛି ।