ସ୍କୁଲଓ ଗଣ ଶିକ୍ଷା ବିଭାଗ ଯୁଗ୍ମନିର୍ଦେଶକଙ୍କ କେନ୍ଦ୍ରାପଡା ଗ୍ରସ୍ତ ଓ ବିଭିନ୍ନ ସ୍କୁଲ ପରିଦର୍ଶନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦେଶକ ଅମୀତା ପଟ୍ଟନାୟକ ଏକ ଦୁଇଦିନିଆ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହିତ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ସହିତ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦେଶକ ଶ୍ରୀମତୀ ପଟ୍ଟନାୟକ ଗୁରୁବାର କେନ୍ଦ୍ରାପଡାରେ ପହଁଚି କେନ୍ଦ୍ରାପଡା ବ୍ଲକର ଜମଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଟ୍ଟାମୁଣ୍ଡାଇ ବ୍ଲକର ମନ୍ମଥନାଥ ହାଇସ୍କୁଲ ଓ ବାଳିକା ହାଇସ୍କୁଲ, ରାଜକନିକା ବ୍ଲକର ଜୟନଗର ପଂଚାୟତ ହାଇସ୍କୁଲ, ଗୋପିନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଆର.ଏନ.ସରକାରୀ ହାଇସ୍କୁଲକୁ ପରିଦର୍ଶନ କରି ସେଠାରେ ଉନ୍ନତଧରଣର ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ଶୈକ୍ଷିକ ଆବଶ୍ୟକତା ଓ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେହିସବୁ ସ୍କୁଲ ଗୁଡିକରେ ଆବଶ୍ୟକତା ଅନୁଯାଇ କ’ଣ ଅଛି ଓ ଆଉ କ’ଣ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଶ୍ରୀମତୀ ପଟ୍ଟନାୟକ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ , ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଯୁଗ୍ମ ନିର୍ଦେଶକ ଶ୍ରୀମତୀ ପଟ୍ଟନାୟକଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂ,ଜିଲ୍ଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ପ୍ରମୁଖ ବିଭିନ୍ନ ସ୍କୁଲ ପରିଦର୍ଶନ ସମୟରେ ଉପସ୍ଥିତ ଥିଲେ । ଉପରୋକ୍ତ ୬ଟି ବିଦ୍ୟାଳୟକୁ ସେଂଟର ଅଫ ଏକ୍ସିଲେନ୍ସ ବା ସର୍ବ ଶ୍ରେଷ୍ଠ ସ୍କୁଲ ଭାବରେ ଗଠନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ନିର୍ଦେଶକ ଶ୍ରୀମତୀ ପଟ୍ଟନାୟକ ଏହିସବୁ ସ୍କୁଲକୁ ପରିଦର୍ଶନ କରି ସରକାରଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିବେ । ଯୁଗ୍ମ ନିର୍ଦେଶକ ଶ୍ରୀମତୀ ପଟ୍ଟନାୟକ ସ୍କୁଲ ଗୁଡିକର ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ, ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଅଭିଯାନର ବିଭିନ୍ନ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ