ସ୍କୁଲ ସ୍ଥାନାନ୍ତରିତ ପାଇଁ ଗ୍ରାମବାସୀଙ୍କ ଦାବି
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଅରଡ ବଜାରର ଗୋଳାପୋଲଠାରେ ଥିବା ଚାର୍ଡ୍ସ ଇଣ୍ଟିଗ୍ରେଟେଡ୍ ସ୍କୁଲଠାରେ ଅନ୍ୟ ଏକ ସ୍କୁଲ ଖୋଲାଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଖବରରୁ ଜଣାପଡିଛି ଯେ ଜିଲ୍ଲାର ଗୋଳାପୋଲ, ଦର୍ଜି ପୋଖରୀ, ନୂଆବଜାର, ଅରଡ ବଜାର ଏବଂ ଗୋଧିବସା ଅଞ୍ଚଳରେ ୨୦୧୦-୧୧ ମସିହାଠାରୁ ‘ଚାର୍ଡ୍ସ ଇଣ୍ଟିଗ୍ରେଟେଡ୍ ମଡେଲ ସ୍କୁଲ’ ଅଞ୍ଚଳର ପିଲାମାନଙ୍କୁ ଘରୁ ଏବଂ ରାସ୍ତାରୁ ନେଇ ବିନା ମୂଲ୍ୟରେ ବହି, ଖାତା, ଡ୍ରେସ୍ ଇତ୍ୟାଦି ଯୋଗାଇ ଦେଇ ପାଠ ପଢାଇ ଆସୁଅଛି । ସ୍କୁଲର ଦିଦି ଏବଂ ସାର୍ମାନେ ଘର ଘର ବୁଲି ପିଲା ଓ ବସ୍ତି ଅଞ୍ଚଳରେ ରହୁଥିବା ଗରୀବ ଲୋକଙ୍କୁ ବୁଝାଇ ପିଲାମାନଙ୍କୁ କୁପଥଗାମୀରୁ ଫେରାଇ ଆଣି ନିୟମିତ ବିନା ମୂଲ୍ୟରେ ଗାଡିରେ ନେଇ ପାଠ ପଢାଇ ଛାଡି ଆସୁଛନ୍ତି । ଏହି ୯ ବର୍ଷ ମଧ୍ୟରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ଯୋଗୁଁ ପିଲାମାନେ ନବୋଦୟ, ଆଦର୍ଶ ଓ ଅଲ୍ଇଣ୍ଡିଆ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆସୁଛନ୍ତି । ଶିକ୍ଷା ବିଭାଗ ସ୍କୁଲକୁ ସ୍ୱିକୃତୀ ପ୍ରଦାନ କରିଥିବା ବେଳେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ବିଭିନ୍ନ ସମୟରେ ସ୍କୁଲକୁ ଆସୁଛନ୍ତି । ଦୀର୍ଘ ୯ ବର୍ଷ ଧରି ଏଠାରେ ଗୋଟିଏ ସ୍କୁଲ ଚାଲିଥିଲା ବେଳେ ହଠାତ୍ ସେହି ସ୍କୁଲକୁ ଲାଗି ‘ଗୋପବନ୍ଧୁ ଇଣ୍ଟିଗ୍ରେଟେଡ୍ ସ୍କୁଲ’ ଖୋଲାଗଲା କିପରି? ଗୋପବନ୍ଧୁ ସ୍କୁଲର ସ୍ୱୀକୃତି ସ୍ଥାନ କେଉଁଠି? ଏହି ସ୍କୁଲରେ କୌଣସି ପିଲାଙ୍କୁ ମାଗଣା ଶିକ୍ଷାଦାନ ଦିଆଯାଉନଥିବା ବେଳେ କୌଣସି ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନଥାଇ ସ୍ୱୀକୃତି ପ୍ରଦାନ କରାଗଲା କେମିତି? ଏସବୁର ତଦନ୍ତ କରାଯିବା ସହିତ ହରିପୁରର ଯେଉଁ ସ୍ଥାନରେ ଏହି ସ୍କୁଲ ଖୋଲାଯାଇଥିଲା ତୁରନ୍ତ ସେହି ସ୍ଥାନକୁ ସ୍ଥାନାନ୍ତର କରାଯିବାକୁ ଦାବି ହୋଇଛି ।