ସ୍ତ୍ରୀକୁ ମାରି ପୋତିଦିଆଯାଇଥିବା ଘଟଣାରେ ସ୍ୱାମୀ ଗିରଫ୍
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ ପୋଟ୍ଟଲାମପୁର ପଂଚାୟତର ମୁନିସପେଣ୍ଠ ଗ୍ରାମରେ ବଧୂହତ୍ୟା ହୋଇଥିବା ଅଭିଯୋଗ ମାମଲାରେ ଆଜି ସ୍ୱାମୀ ଟି. ମୋହନ ରାଓ ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ଛତ୍ରପୁର ପୋଲିସ୍ । । ସୂଚନା ଯୋଗ୍ୟ ଯେ, ଗତ ୧୨ ତାରିଖ ଦିନ ମୁନିସିପେଣ୍ଠ ଗ୍ରାମର ମୋହନଙ୍କ ସ୍ତ୍ରୀ ଲକ୍ଷ୍ମୀ କୌଣସି କାରଣ ନେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକ କଂସାରୀଗଣ୍ଡ ନିକଟରେ ଥିବା ଗ୍ରାମର ଶ୍ମଶାନରେ ଲକ୍ଷ୍ମୀଙ୍କ ଶେଷକୃତ୍ୟ ସଂପନ୍ନ କରିଥିଲେ । ତେବେ ଏ ନେଇ ଲକ୍ଷ୍ମୀଙ୍କ ମା ୟୁ. ଶଶୀରେଖା ୧୪ ତାରିଖ ଦିନ ଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଥିବା ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ୍ ଘଟଣାକୁ ଗୁରୁତର ସହ ନେଇ ଥାନାରେ ୬୫୨/୨୧ ରେ ଏକ ମାମଲା ରୁଜୁ କରି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଥିଲେ । ଏନେଇ ଛତ୍ରପୁର ଥାନା ପୋଲିସ୍ ଲକ୍ଷ୍ମୀଙ୍କୁ ପୋତାଯାଇଥିବା ଶ୍ମଶାନକୁ ଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଲକ୍ଷ୍ମୀଙ୍କ ଶବକୁ ଉଦ୍ଧାର କରିଥିଲେ । ପରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ । ପୋଲିସ୍ ପକ୍ଷରୁ ଘଟଣାର ସମସ୍ତ ବିଷୟ ଅନୁଧ୍ୟାନ କରି ଗୁରୁବାର ସ୍ୱାମୀ ଟି. ମୋହନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ୭ ବର୍ଷ ତଳେ ଟି. ମୋହନ ବ୍ରହ୍ମପୁର ବଡବଜାର ଅଂଚଳର ୟୁ. ଶଶିରେଖାଙ୍କ ଝିଅ ଲକ୍ଷ୍ମୀଙ୍କ ସହିତ ବୈଦିକ ରୀତିବୀତି ଅନୁଯାୟୀ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ରହିଛି । ତେବେ ସ୍ୱାମୀଙ୍କ ଘର ପକ୍ଷରୁ ସେ ଆତ୍ମହତ୍ୟା କରିଥିବା କୁହାଯାଇଥିବା ବେଳେ ମୃତ ଲକ୍ଷ୍ମୀଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ହୋଇଛି ।


