ସ୍ଥିତି ସ୍ପଷ୍ଟ : ମାନ୍ଦାବସ୍ଥା କବଳରେ ଭାରତ

ନୂଆଦିଲ୍ଲୀ : ଅର୍ଥନୀତି ଶାସ୍ତ୍ର କହୁଛି ଯଦି କୌଣସି ଦେଶର ଅର୍ଥନୀତିରେ କ୍ରମାଗତ ଦୁଇଟି ତ୍ରୟମାସ କିମ୍ବା ଛଅ ମାସ ପର୍ଯ୍ୟନ୍ତ ହ୍ରାସ ଘଟେ ତାହା ମାନ୍ଦାବସ୍ଥା କବଳରେ ପଡ଼ିଥିବା ବିଚାର କରାଯାଏ। ଭାରତ ମାନ୍ଦାବସ୍ଥା କବଳରେ ପଡ଼ିଥିବା ଆଜି ସ୍ପଷ୍ଟ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ (ଏପ୍ରିଲ୍‌-ଜୁନ୍‌) ଦେଶର ଅଭିବୃଦ୍ଧି ୨୩.୯ ପ୍ରତିଶତ ହ୍ରାସ ପାଇଥିଲା। ଏହାର ପରବର୍ତୀ ତ୍ରୟମାସ (ଦ୍ବିତୀୟ) ଅର୍ଥାତ ଜୁଲାଇ-ସେପ୍ଟେମ୍ବରରେ ଅଭିବୃଦ୍ଧି ୭.୫ ପ୍ରତିଶତ ହ୍ରାସ ପାଇଛି। ଏହି ତିନି ମାସରେ ଅର୍ଥନୀତିର ପ୍ରଦର୍ଶନ କିନ୍ତୁ ବିଭିନ୍ନ ସଂସ୍ଥାର ଆକଳନ ଠାରୁ ବହୁତ ଭଲ ରହିଛି। ଏହି ସମୟରେ ଅଭବୃଦ୍ଧି ୧୦ ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ଅନେକ ସଂସ୍ଥା ଆକଳନ କରିଥିଲେ। କିଛି ସଂସ୍ଥାର ଆକଳନ ଭୁଲ୍ ପ୍ରମାଣିତ ହୋଇଥିବା ବେଳେ ଅନ୍ୟ କିଛି ସଂସ୍ଥାର ଆକଳନ ବାସ୍ତବ ଚିତ୍ରର ପାଖାପାଖି ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ସହ ଯଦି ତୁଳନା କରାଯିବ ତେବେ ଦ୍ବିତୀୟ ତ୍ରୟମାସରେ ଅର୍ଥନୀତି ଚମତ୍କାର ପ୍ରତ୍ୟାବର୍ତନ କରିଛି ବୋଲି କୁହାଯାଇପାରିବ। ଆଜି ‌ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‌ଓ) ତରଫରୁ ଜାରି ତଥ୍ୟ ଅନୁଯାୟୀ, ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ମୂଲ୍ୟ ଗତବର୍ଷ ତୁଳନାରେ ୨ ଲକ୍ଷ ୭୦ ହଜାର କୋଟି ଟଙ୍କା ହ୍ରାସ ପାଇଛି। ୨୦୧୯ ଜୁଲାଇ-ସେପ୍ଟେମ୍ବରରେ ଦେଶର ଜିଡିପି ମୂଲ୍ୟ ୩୫ ଲକ୍ଷ ୮୪ ହଜାର କୋଟି ଟଙ୍କା ଥିଲା। ଚଳିତ ବର୍ଷ ସେହି ସମୟରେ ଜିଡିପି ମୂଲ୍ୟ ୩୩.୧୪ ଲକ୍ଷ କୋଟି ଟଙ୍କା ସ୍ତରକୁ ଖସିଆସିଛି। କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଅର୍ଥନୀତିର ଗତି ଏଭଳି ମନ୍ଥର ହୋଇଛି। ତେବେ ଚଳିତ ବର୍ଷର ଏପ୍ରିଲ୍‌-ଜୁନ୍‌ ତ୍ରୟମାସ ତୁଳନାରେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ବଡ଼ ଧରଣର ଉନ୍ନତି ଘଟିଛି। କୃଷି ଅଭିବୃଦ୍ଧି ୩.୪ ପ୍ରତିଶତ ଭଳି ଯୁକ୍ତାତ୍ମକ ସ୍ତରରେ ରହିଛି। ଆଶ୍ଚର୍ଯ୍ୟଜନକ ଭାବେ ମାନୁଫାକ୍‌ଚରିଂ କ୍ଷେତ୍ର ୦.୬ ପ୍ରତିଶତ ବୃଦ୍ଧି ହାସଲ କରିଥିବାରୁ ବି‌େଶଷଜ୍ଞମାନେ ବିସ୍ମୟ ପ୍ରକାଶ କରିଛନ୍ତି। ଅର୍ଥନୀତିରେ ବଡ଼ ଧରଣ ସୁଧାର ହୋଇଥିବାର ଏହା ସବୁଠୁ ବଡ଼ ପ୍ରମାଣ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ଦ୍ବିତୀୟ ତ୍ରୟମାସରେ ବିଦ୍ୟୁତ, ଗ୍ୟାସ୍‌, ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ୟୁଟିଲିଟି ସେବାରେ ୪.୪ ପ୍ରତିଶତ ବୃଦ୍ଧି ଘଟିଛି। ଏହି ତିନି ପ୍ରକାର କ୍ଷେତ୍ରକୁ ବାଦ ଦେଲେ ଅନ୍ୟ ସବୁ କ୍ଷେତ୍ର ସୁଧାର ପାଇଁ ଏବେବି ସଂଘର୍ଷ କରୁଥିବା ଜଣାପଡ଼ିଛି। ଖଣି ଓ କ୍ବାରି କ୍ଷେତ୍ରର ଅଭିବୃଦ୍ଧି ୯.୧ ପ୍ରତିଶତ ହ୍ରାସ ପାଇଥିବା ‌ବେଳେ କନଷ୍ଟ୍ରକ୍ସନରେ ୮.୬ ପ୍ରତିଶତ, ବାଣିଜ୍ୟ, ହୋଟେଲ୍‌, ପରିବହନ, ଯୋଗାଯୋଗ ଏବଂ ପ୍ରସାରଣ ସେବା କ୍ଷେତ୍ର ୧୫.୬ ପ୍ରତିଶତ, ଆର୍ଥିକ, ରିଅଲ ଇଷ୍ଟେଟ୍‌ ଓ ବୃତ୍ତିଗତ ସେବା କ୍ଷେତ୍ର ୮.୧ ପ୍ରତିଶତ ଏବଂ ସାଧାରଣ ପ୍ରଶାସନ, ପ୍ରତିରକ୍ଷା ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରର ଅଭିବୃଦ୍ଧି ୧୨.୨ ପ୍ରତିଶତ ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ‌ଅର୍ଥନୀତିର ପ୍ରଦର୍ଶନ କିଭଳି ରହିଛି ତାହା ୨୦୨୧ ଫେବ୍ରୁଆରି ୨୬ରେ ଜଣାପଡ଼ିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ