ସ୍ପିଡ୍ପୋଷ୍ଟ୍ ଜରିଆରେ ଔଷଧ ଯୋଗାଣ
ଭୁବନେଶ୍ବର: ଲକ୍ଡାଉନ୍ ସମୟରେ ସ୍ପିଡ୍ପୋଷ୍ଟ୍ ଜରିଆରେ ଔଷଧ ଯୋଗାଣ ସୁନିଶ୍ଚିତ କରାଯାଇଛି। ଔଷଧ ଯୋଗାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଲାଗି ଡାକ ବିଭାଗ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସଞ୍ଚାର, ନ୍ୟାୟ ଓ ଆଇନ, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ। କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ଡାକ ବିଭାଗର ସମସ୍ତ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଯାହାଫଳରେ ସେମାନେ ଔଷଧ ପଠାଇବା ଏବଂ ଗ୍ରହଣ କରିବାରେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ସାରା ଦେଶରେ ଥିବା ସମଗ୍ର ପୋଷ୍ଟାଲ୍ ନେଟ୍ଓ୍ୱର୍କକୁ ଏଥିପାଇଁ ସକ୍ରିୟ କରାଯାଇଛି। ଏହି ଉଦ୍ଦେଶ୍ୟ ଲାଗି ଅନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ଡାକ ପରିବହନ ଲାଗି ବ୍ୟବସ୍ଥା କରାଯାଇଛି। ଜରୁରୀ ଔଷଧ, କୋଭିଡ୍-୧୯ ଟେଷ୍ଟିଂ କିଟ୍, ଚିକିତ୍ସା ସରାମକୁ ସଠିକ୍ ଠିକଣାରେ ପହଞ୍ଚାଇବା ଲାଗି ନାଲି ରଙ୍ଗର ଡାକ ଭ୍ୟାନ୍ ଏବଂ ସଡ଼କ ପରିବହନ ନେଟଓ୍ୱର୍କ ନିରନ୍ତର ସେବା ଯୋଗାଇ ଆସୁଛନ୍ତି। ବିଭିନ୍ନ ଔଷଧ ଉତ୍ପାଦକମାନଙ୍କ ସହିତ ମିଶି ଡାକ ବିଭାଗ ପକ୍ଷରୁ ଔଷଧ ଏବଂ ଚିକିତ୍ସା ସରଞ୍ଜାମର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରାଯାଉଛି। ଡାକ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଏଥିପାଇଁ ଦିନରାତିରେ କାର୍ଯ୍ୟ କରୁଛନ୍ତି।


