ସ୍ୱର୍ଗତ ଶିବାଜୀ ପଟ୍ଟନାୟକଙ୍କ ସ୍ମୃତିରେ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା
ବାଲେଶ୍ୱର, (ସରୋଜ ପଣ୍ଡା) :-ବିଶିଷ୍ଟ ବାମପନ୍ଥୀ ନେତା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ନୂଆବଜାରସ୍ଥିତ ପରିବହନ କର୍ମଚାରୀ ସଂଘ ସଭାଗୃହରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପଟ୍ଟନାୟକଙ୍କ ଆଦର୍ଶ ଆଗାମୀ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କଲେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସାର୍ଥକ ହେବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରିଥିଲେ । ୩ଥର ସାଂସଦ ଭାବେ ନିର୍ବାଚିତ ହୋଇ ସେ ସଂସଦରେ ଓ ସଂସଦ ବାହାରେ ଶେଷଜୀବନ ପର୍ଯ୍ୟନ୍ତ ସମାଜର ସାଧାରଣ ଜନତାଙ୍କ ସ୍ୱାର୍ଥପାଇଁ ସେ ସଂଗ୍ରାମ ଜାରିରଖିଥିଲେ । ନିଜର ପରିବାର ଓ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗକରି ଜୀବନବ୍ୟାପୀ ଅବହେଳିତ, ଦଳିତ ଓ ଅର୍ଥନୈତିକ ଦୁର୍ବଳଙ୍କ ସ୍ୱାର୍ଥରେ କାର୍ଯ୍ୟ କରିଛନ୍ତି ବୋଲି ସେମାନେ ମତ ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ ଓ ଉମାକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲାସ୍ତରୀୟ ସ୍ମୃତିସଭାରେ ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବି ଶରତ ମହାପାତ୍ର, ପୁରୁଷୋତ୍ତମ ବିଶ୍ୱାଳ, ପ୍ରଭାକର ସାହୁ, ଅଶୋକ ସେନାପତି, ନିରଞ୍ଜନ ପରିଡ଼ା, ତୁଷାରକାନ୍ତି ମହାପାତ୍ରଙ୍କ ସମେତ ଓକିଲ ସଂଘର ସଭାପତି ମନୋଜ ନାୟକ, ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ସିଆଇଟିୟୁ ନେତା ବିଜୟ ପାତ୍ର ଓ ଶ୍ୟାମସୁନ୍ଦର ଜେନା, ଏଆଇଟିୟୁସି ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, ସମାଜସେବୀ ସୁଦର୍ଶନ ଜେନା, ସିପିଆଇ ନେତା ଜୟନ୍ତ ଦାସ, ପୂର୍ବତନ ସରପଞ୍ଚ ଷ୍ଟାଲିନ୍ ମିଶ୍ର, କାଉନସିଲର ଦେବାଶୀଷ ସିଂହ, ଚାଷୀ ଏକତା ମଞ୍ଚର ସଭାପତି ଅରୁଣ ଜେନା, ପରିବେଶବିତ୍ ପ୍ରତାପ ଚନ୍ଦ୍ର ନାୟକ, ଡାକ କର୍ମଚାରୀମାନଙ୍କ ନେତା, ନିରଞ୍ଜନ ରାଉତ, ଅଧ୍ୟାପକ ଶତ୍ରୁଘ୍ନ ମଲ୍ଲିକ, ଇଂ. ହୃଷିକେଶ ସାହୁ, ଶିକ୍ଷକନେତା ଇନ୍ଦୁ ମାଧବ ମହାନ୍ତି ଓ ବାଦଲ ଚନ୍ଦ୍ର ପାତ୍ର, ନାରୀନେତ୍ରୀ ବନ୍ଦନା ପାତ୍ର ଓ ଈଷାଣୀ ଷଡ଼ଙ୍ଗୀ, ସିପିଏମ୍ ନେତା ସୀତାଂଶୁ ସେନାପତି ଓ ଦିଲ୍ଲୀପ ଗିରି, ସମାଜସେବୀ ରମେଶ ଚନ୍ଦ୍ର ଜେନା, ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, ପୂର୍ବତନ ନଗରପାଳ ତପନ ଚକ୍ରବର୍ତ୍ତୀ, ପଶୁପତି ଉପାଧ୍ୟାୟ, ଦୀପ୍ତିମାନ ଆଚାର୍ଯ୍ୟ ଓ ଉତ୍ପଳ ମହାନ୍ତି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରି ସମ୍ମାନ ଜଣାଇଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଉପସ୍ଥିତମାନେ ଏକମିନିଟ୍ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦଣ୍ଡାୟମାନ ହୋଇ ସମ୍ମାନ ପ୍ରଦର୍ଶନ କରିଥିଲେ । ପରିବହନ ଶ୍ରମିକ ସଂଘର ସଂପାଦକ ରାଜକିଶୋର ଲେଙ୍କା ଧନ୍ୟବାଦ ଦେଇଥିଲେ ।