ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦେଶ ତା’ର ୭୫ବର୍ଷ ପୂର୍ତ୍ତି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ସମଗ୍ର ଓଡିଶାର ୨୫ଟି ଜିଲ୍ଲାରେ, ପ୍ରତ୍ୟେକ ଜିଲ୍ଲାରେ ୫ଟି ସ୍ଥାନ କରି ମୋଟ ୧୨୫ଟି ସ୍ଥାନରେ କବିତା ପାଠୋତ୍ସବ ସ୍ୱାଧୀନତା ଦିବସରେ ଆୟୋଜନ କରିଥିଲା । ପ୍ରାୟ ୨୫ଶହ କବି ତାଙ୍କର ସ୍ୱରଚିତ ଦେଶାତ୍ମକ କବିତା ପାଠ କରିଥିଲେ । ଏହି କ୍ରମରେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସଭା ଗୃହରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି କବିତା ପାଠୋତ୍ସବକୁ ବିଶିଷ୍ଟ କବି ଅପର୍ଣ୍ଣା ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଡଃ. ବାସୁଦେବ ଦାସ ଓ କବି ନିରାକର ଦାସ ଯୋଗଦେଇ ଆମ ସ୍ୱାଧୀନତାରେ ଆମ ସାହିତ୍ୟର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଅତିଥି କବି ଭାବେ ବୃନ୍ଦାବନ ଦାସ, ଅକ୍ଷୟ ନାୟକ, ଡଃ. ଶ୍ରୀଧର ସାମଲ, ମନୋରଞ୍ଜନ ସାହୁ, ରଞ୍ଜନ ବାଇ, ଡା. ବି. କେ. ପ୍ରଶାନ୍ତ କୁମାର, କବିତା ମୁଦୁଲି, ସୁନନ୍ଦା ପ୍ରଧାନ, ବୀଣାପାଣି ଚୈାଧୁରୀ, ନୃସିଂହ ତରାଇ, ବିମଳ ପ୍ରସାଦ ପରିଡା, ପୁଷ୍ପାଞ୍ଜଳି ପଣ୍ଡା, ମନ୍ମଥ ବରାଳ, ହରିହର ବେହେରା, ମାମା ସ୍ୱାଇଁ, ସମର୍ପିକା ଦଳାଇ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କେନ୍ଦ୍ରାପଡା କଲେଜର ଅଧ୍ୟାପକ ରଞ୍ଜିତ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଅଜିତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏକାଡେମୀର ଜିଲ୍ଲା ପ୍ରତିନିଧି ସରୋଜ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ । କବି ନବଜ୍ୟୋତି ରାୟ କବିତା ସଂଯୋଜନା କରିଥିଲେ । ଏହି ସଭାକୁ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପିକା ମନୀଷାକାନ୍ତି ଜେନା, ଅଧ୍ୟାପିକା ସସ୍ମିତା ଅଧିକାରୀ ଓ ଅଧ୍ୟାପକ ପ୍ରମୋଦ ବେହେରା ସଂଚାଳନା କରିଥିଲେ । ସଭା ପ୍ରାରମ୍ଭରେ ସରସ୍ୱତୀ ଶିଶୁ ମନ୍ଦିର, ସାନ୍ତସାହିର ଛାତ୍ରଛାତ୍ରୀମାନେ ବନ୍ଦେ ମାତରମ ଗାନ କରିଥିଲେ । ଓଡିଆ ଭାଷା ସାହିତ୍ୟ ବିଭାଗର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଏଥିରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ ।


