ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରତି ବ୍ଲକରୁ ଯୋଗ ଦେବେ ପ୍ରତିଯୋଗୀ

ବାଲେଶ୍ୱର : ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ-୨୦୧୯ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ “ସଦ୍ଭାବନା ସଭାଗୃହ”ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ପିଡି ଡିଆରଡିଏ ସର୍ବେଶ୍ୱର ସିଂ, ସି.ଡି.ଏମ.ଓ. ଡା. ଦୁଲାଳ ସେନ ଜଗଦ୍ଦେବ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ଚନ୍ଦ୍ର ନିଆଲ ପ୍ରମୁଖ ମଂଚାସୀନ ହୋଇଥିବା ବେଳେ ସ୍ୱାଧୀନତା ଦିବସ-୨୦୧୯କୁ ମହାସମାରୋହରେ ପାଳନ କରାଯିବା ସମ୍ପର୍କରେ ଉପସ୍ଥିତ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀ ଏବଂ ସାମ୍ବାଦିକମାନଙ୍କ ସହ ଆଲୋଚନା ପୂର୍ବକ ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଥିଲା । ଚଳିତ ଥର ପ୍ରତ୍ୟେକ ବ୍ଲକରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ଚିତ୍ରାଙ୍କନ ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗୀତା ନିମନ୍ତେ ଜିଲ୍ଲାସ୍ତରରେ ଅଂଶଗ୍ରହଣ କରିବା ପାଇଁ ପ୍ରତ୍ୟେକ ବ୍ଲକରୁ ମନୋନୀତ ହୋଇ ଆସିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଗୌରବ ଆଣିଥିବା ବିରଳ ପ୍ରତିଭାମାନଙ୍କୁ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବା ଉପରେ ନିଷ୍ପତି ନିଆଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅଗଷ୍ଟ ୧୫ ତାରିଖ ପ୍ରାତଃ କାଳରେ ରାମଧୁନ୍ ବାଜିବା ଏବଂ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ପ୍ରଭାତଫେରି ଓ ଜାତୀୟ ପତାକା ଉତୋଳନ କାର୍ଯ୍ୟକ୍ରମ ସକାଳ ଘ୭.୩୦ମି ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ସକାଳ ଘ୯. ୧୫ମି ସମୟରେ ପୁଲିସ ଲାଇନ୍ ପଡ଼ିଆରେ ଜିଲ୍ଲାସ୍ତରୀୟ ଉତ୍ସବରେ ଦିବସର ମୁଖ୍ୟଅତିଥି ଜାତୀୟ ପତାକା ଉତୋଳନ କରିବା ସହିତ ସାମୂହିକ ପ୍ୟାରେଡ଼ର୍ ଅଭିବାଦନ ଗ୍ରହଣ କରିବେ । ପ୍ୟାରେଡ଼୍ ପରେ ଅତିଥିଙ୍କ ଦ୍ୱାରା ବିଭିନ୍ନ ବର୍ଗର କୃତୀ ପ୍ରତିଯୋଗୀଙ୍କ ସମେତ ଜିଲ୍ଲାର ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶ୍ରେଣୀରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଏବଂ ଉଲ୍ଲେଖନୀୟ କାର୍ଯ୍ୟ ଦକ୍ଷତା ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପରେ ଅତିଥିଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଉଦ୍ଘାଟନ ଓ ରୋଗୀମାନଙ୍କୁ ଫଳ ବଂଟନ କରାଯିବ । ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲା କାରାଗାର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ, ରାଣୀପାଟଣା ସ୍ଥିତ ‘ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟ’ର ଛାତ୍ରଛାତ୍ରୀମାନଙ୍କୁ ରୋଟାରୀ କ୍ଲବ ଆନୁକୁଲ୍ୟରେ ଓ ଉକ୍ରଳ ବାଳାଶ୍ରମର ଅନ୍ତେବାସୀଙ୍କୁୁ ପୈାରପାଳିକା ପକ୍ଷରୁ ସୁଷମ ଖାଦ୍ୟ ବିତରଣ କରାଯିବ । ଜାତୀୟ ଦିବସକୁ ଅଧିକ ସ୍ମରଣୀୟ କରିବା ପାଇଁ ଅପରାହ୍ନରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ନାଗରିକ ଏକାଦଶଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ପରମିଟ୍ ପଡିଆରେ ଓ ମହିଳାମାନଙ୍କ ମଧ୍ୟରେ କୌତୁକିଆ ମ୍ୟୁଜିକ ଚେୟାର ଖ୍ରୀଷ୍ଟିୟାନ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହେବ । ସଂଧ୍ୟାରେ ସହରର ପ୍ରମୁଖ ସ୍ଥାନମାନଙ୍କୁ ଆଲୋକମାଳାରେ ସଜ୍ଜିତ କରାଯିବା ସହ ଗାନ୍ଧିସ୍ମୃତି ଭବନ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବୈଠକରେ ନିଷ୍ପତି ନିଆଯାଇଥିଲା । ସହରର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା, ଶିକ୍ଷାନୁଷ୍ଠାନର କର୍ମକର୍ତା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜସେବୀ, ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ ଅନ୍ୟମାନେ ଏଥିରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସ୍ୱାଧୀନତା ଦିବସକୁ ଅଧିକ ଆକର୍ଷଣୀୟ ଏବଂ ସଫଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ତିମରେ ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ