ହସ୍ତତନ୍ତ ବୁଣାକାର ଙ୍କ ବିକାଶ ନିମନ୍ତେ ନାବାର୍ଡ ପକ୍ଷରୁ ଆଲୋଚନା ସଭା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପଦ୍ମନାଭପୁର ଗ୍ରାମ ରେ ରହୁଥିବା ହସ୍ତତନ୍ତ ବୁଣାକାର ଙ୍କ ବିକାଶ ନିମନ୍ତେ ବୁଧବାର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନାବାର୍ଡ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ବି . ସନ୍ଧ୍ୟାରାଣୀ ସୁବୁଦ୍ଧି ଏବଂ ପୂର୍ବତନ ସରପଞ୍ଚ ବି . କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ସଭାରେ ଦିଗପହଣ୍ଡି ବିଡିଓ ହଳଧର ଶବର ଯୋଗ ଦେଇଥିଲେ । ପଦ୍ମନାଭପୁର ଗ୍ରାମରେ ବହୁ ତନ୍ତୀ (ଡେରା) ସମ୍ପ୍ରଦାୟ ର ପରିବାର ହାତରେ ଲୁଗା ବୁଣି ପରିବାର ପରିପୋଷଣ କରି ଆସୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେମାନେ ସରକାରୀ ସ୍ତରରେ କୈାଣସି ସହାୟତା ପାଇପାରୁ ନାହାନ୍ତି । ଏନେଇ ସେମାନେ ସରପଞ୍ଚଙ୍କ ନିକଟରେ ସେମାନଙ୍କ ମୌଳିକ ସମସ୍ୟା ଜଣାଇଥିଲେ ।ଯାହାଫଳରେ ବୁଧବାର ନାବାର୍ଡ ପକ୍ଷରୁ ଡିଡିଏମ ସଞ୍ଜୀବ ମିଶ୍ର , ପିଆଇଓ ସଞ୍ଜୀବ ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ ସତ୍ୟନାରାୟଣ ମିଶ୍ର , ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଜିତେନ୍ଦ୍ର ମାଲିଆଙ୍କ ଉପସ୍ଥିତିରେ ସେମାନଙ୍କ ରହିଥିବା ସମସ୍ୟା କିପରି ସମାଧାନ ହୋଇପାରିବ ଏବଂ ସେମାନଙ୍କ ଉନ୍ନତି ନିମନ୍ତେ ଆଲୋଚନା କରିଥିଲେ । ଏହି ଆଲୋଚନା ସଭାରେ ୫୦ ରୁ ଉର୍ଦ୍ଧ୍ବ ହସ୍ତତନ୍ତ ବୁଣାକାର ପରିବାର ର ସଦସ୍ୟ ମାନେ ଯୋଗ ଦେଇଥିଲେ । ଶେଷରେ ନାବାର୍ଡ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ହସ୍ତତନ୍ତ ବୁଣାକାର ମାନଙ୍କ ପକ୍ଷରୁ ପୂର୍ବତନ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ।


