ୟୁନିଟ୍-୯ ପାଠାଗାର ତରଫରୁ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ୟୁନିଟ୍-୯ସ୍ଥିତ ପାଠାଗାର ତରଫରୁ ୭୩ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ୟୁନିଟ୍-୯ ଅଞ୍ଚଳର ବରିଷ୍ଠ ନାଗରିକ ତଥା ପାଠାଗାରା ସଭ୍ୟମାନଙ୍କ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ସ୍କୁଲ୍ ପିଲାମାନଙ୍କ ସହିତ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଯେଉଁ ମହାନ୍ ବିପ୍ଲବୀଙ୍କ ତ୍ୟାଗ ଓ ଆତ୍ମବଳୀ ଫଳରେ ଦେଶ ଆଜି ସ୍ୱାଧୀନତା ଲାଭ କରିଛି, ସେହି ମହାନ୍ ବିପ୍ଲବୀଙ୍କ ଆଦର୍ଶନରେ ଅନୁପ୍ରାଣିତ ହେବାକୁ ପାଠାଗାରର ସଦସ୍ୟମାନେ ସ୍କୁଲ୍ ପିଲାଙ୍କୁ ପରାମର୍ଶ ଦେଇଥିଲେ । ବରିଷ୍ଠ ନାଗରିକ ପୂର୍ଣ୍ଣଚନ୍ଦ୍ର ପାତ୍ର କହିଲେ ଯେ, ପରାଧୀନ ଭାରତକୁ ଜାତିର ଜନକ ମହାତ୍ମା ଗାନ୍ଧୀ ସ୍ୱାଧୀନ କରି ଆଜି ଆମ ଗହଣରେ ନାହାଁନ୍ତି ସତ, ହେଲେ ତାଙ୍କର ଏହି ମହାନ୍ ବଳିଦାନକୁ ସ୍ମରଣୀୟ କରିବା ପାଇଁ ସାରା ଦେଶ ଆଜି ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶ ପାଇଁ ନିଜର ଜୀବନ ଉତ୍ସର୍ଗ କରିବାକୁ ସ୍କୁଲ୍ର ଛାତ୍ରଛତ୍ରୀମାନେ ଶପଥ ନେଇ ଭାରତକୁ ଏକ ସୁସ୍ଥ, ସୁନ୍ଦର ଓ ସବୁଜ ଭାରତ ଗଠନ କରିବା ପାଇଁ ସଂକଳ୍ପ କରିଥିଲେ । ପରେ ପାଠାଗାର ତରଫର ୧୦ଜଣ ଗରିବ ଛାତ୍ରଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ପ୍ରଣବ ସ୍ୱାଇଁ, ଅମିୟ ବଲ୍ଲଭ ଜେନା, ସାଧାରଣ ସମ୍ପାଦକ ଶୁଭାକାନ୍ତ ସାମନ୍ତସିଂହାର, ରଶ୍ମିରଞ୍ଜନ ଜେନା, ସାଧୁ ଚରଣ ଜେନା, ରଶ୍ମିରଞ୍ଜନ ସ୍ୱାଇଁ, ଆଶୀକ କୁମାର ସୋମ୍, ଦୀପକ ବାରିକ, ମାନସ ମହାପାତ୍ର, ବୁବୁ ମହାନ୍ତି, ହରସିସ ଶତପଥୀ, ଜଗମୋହନ ବଳିୟାରସିଂ ଓ ବୈଦ୍ୟନାଥ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପାଠାଗାର ତରଫରୁ ଉପସ୍ଥିତ ଥିବା ସ୍କୁଲ୍ର ଛାତ୍ରଛାତ୍ରୀ ଓ ୟୁନିଟ୍-୯ ଅଞ୍ଚଳର ୫୦୦ ବାସିନ୍ଦାଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।