୨ଜଣ ରକ୍ତଚନ୍ଦନ ଚୋରା ଚାଲାଣକାରୀଙ୍କୁ କୋର୍ଟ ଚାଲାଣ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗିରଫ କରାଯାଇଥିବା ୨ଜଣ ରକ୍ତଚନ୍ଦନ ଚୋରା ଚାଲାଣକାରୀଙ୍କୁ ଆଜି ଗିରଫ କରାଯାଇ ଗଜପତି ଜିଲ୍ଲା କୋର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ, ଗତ ୧୬ତାରିଖ ଦିନ ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଗଜପତିର ବାଞ୍ଜେରୀ ଗ୍ରାମ ଛକରୁ ଏକ ଅଟୋରେ ଆନ୍ଧ୍ରଚାଲାଣ ହେଉଥିବା ବେଳେ ଦେଢ କୁଇଣ୍ଟାଲର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଉଦ୍ଧାର କରି ଜବତ କରାଯାଇଥିଲା । ଏଥିରେ ଗଜପତି ରାୟଗଡ ଗ୍ରାମର ବିରାଜ ଆନ୍ଦପୁ ଏବଂ ଭେଙ୍କେଟେଶ ମିଶାଲଙ୍କୁ ଅଟକ ରଖି ବନ ବିଭାଗ ତରଫରୁ ଅଧିକା ତଦନ୍ତ ଜାରି ରହିଥିଲା । ଏହି ତଦନ୍ତରେ ଅଟକ ଥିବା ଏହି ୨ଜଣଙ୍କ ସୂତ୍ରରୁ ରାୟଗଡ ଗ୍ରାମର ପର୍ବତ ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟର ଶୌଚାଳୟରେ ଆହୁରି ୩ଟି ରକ୍ତଚନ୍ଦନ ଗଣ୍ଡିକୁ ଲୁଚାଇ ରଖାଯିବା ଜଣାପଡିଥିଲା । ଏଥିରେ ପାରଳା ଡିଏଫଓ ସଂଗ୍ରାମ କେଶରୀ ବେହେରା ବିଭାଗୀୟ ଅଧିକାରୀଙ୍କ ସହ ଘଟଣା ସ୍ଥଳରେ ଚଢାଉ କରି ଶୌଚାଳୟ ମଧ୍ୟରୁ ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଗତକାଲି ଅପରାହ୍ନରେ ପୁଣି ଉଦ୍ଧାର କରିଥିଲେ । ଏହି ୩ଗୋଟି ରକ୍ତଚନ୍ଦନ ଗଣ୍ଡି ଆନ୍ଧ୍ରକୁ ଚୋରାଚାଲାଣ ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଏହି ରକ୍ତଚନ୍ଦନ ଚୋରା କାରବାରରେ ଆହୁରି ଅଧିକ ସଂଖ୍ୟକ ବ୍ୟକ୍ତି ସଂପୃକ୍ତ ଥିବା ସାଧାରଣରେ ଅଭିଯୋଗ ହେଉଛି । ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା କହିଛନ୍ତି, ଏହି ୨ଜଣଙ୍କ ଠାରୁ ସଂଗୃହିତ ତଥ୍ୟ ଅନୁଯାୟୀ ଆହୁରି କିଛି ବ୍ୟକ୍ତି ଏହି ଚୋରା କାରବାରରେ ଲିପ୍ତ ଥିବା ସନ୍ଦେହ କରାଯାଉଛି । ବନ ବିଭାଗ ତରଫରୁ ଏ ନେଇ ମଧ୍ୟ ଆବଶ୍ୟକ ତଦନ୍ତ ଓ ତନାଘନା ଜାରି ରହିଛି । ଯଦି ଅନ୍ୟ କୌଣସି ବ୍ୟକ୍ତି ଏଥିରେ ସଂପୃକ୍ତ ଥିବେ,ସେମାନଙ୍କୁ ଅତି ଶୀଘ୍ର ଗିରଫ କରାଯିବ । ଆଜି ଅଟକ ଥିବା ଏହି ୨ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇ ଗଜପତି ଜିଲ୍ଲା କୋର୍ଟକୁ ଚାଲାଣ କରାଯାଇଛି ।


