୩୦ରୁ ଭୁଜାଖିଆ ପୀର ବାବାଙ୍କ ୩ଦିନିଆ ‘ଉର୍ଷ’
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଭାଇଚାରାର ପ୍ରତୀକ ବାବା ଭୁଜାଖିଆ ପୀରବାବାଙ୍କ ୭୮ତମ ବାର୍ଷିକ ଉତ୍ସବ ‘ଉର୍ସ’ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ସୁନହଟସ୍ଥିତ ବାବାଙ୍କ ଆସ୍ଥାନ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଯୁବ ସଂଗଠକ ସାହିରୁଲ ହକ ଏଥିରେ ଅଧ୍ୟକ୍ଷତା କରିଥିଲେ । ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ଟାଉନଥାନା ଅଧିକାରୀ ଗୋପାଲକୃଷ୍ଣ କର୍ଣ୍ଣ, ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି, ଯୁବ ସଂଗଠକ ଭାଗବତ ସାହୁ, ବାଲେଶ୍ୱର ପୌର ପରିଷଦର ନବ ନିର୍ବାଚିତ କାଉନସିଲର ଶେଖ ଆୟୁବ, ରୋଜାଲିନ ପାଣି, ଅମିତ କୁମାର ନାୟକ, ଭୁଜାଖିଆ ପୀର ପରିଚାଳନା କମିଟି ସଭାପତି ଶେଖ ଅବଦୁଲ ରଫିକ, ଇନ୍ତେ୍ୱଖାବ୍ ଅଲ୍ଲି ଖାନ, ଶେଖ ଅନସର ଅଲ୍ଲି, ବିଶ୍ୱନାଥ ଦାସ, ଶେଖ ଅବଦୁଲ ବୁରହାନ ପ୍ରମୁଖ ଏଥିରେ ଯୋଗଦେଇ ବାବାଙ୍କ ଉର୍ସର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ । ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଉର୍ସକୁ ବିଶେଷ ଆକର୍ଷଣୀୟ କରିବା ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା । ଭାଇଚାରାର ପ୍ରତୀକ ଭାବେ ଭୁଜାଖିଆ ବାବାଙ୍କର ବାର୍ଷିକ ଉତ୍ସବ ବାଲେଶ୍ୱର ସହର ପାଇଁ ବେଶ ଗୁରୁତ୍ୱ ବହନ କରି ଆସୁଥିବା ବେଳେ ଏହାକୁ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ପାଳନ ଉପରେ ସମସ୍ତ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ୩୦ ତାରିଖରୁ ଅପ୍ରେଲ ୧ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଉତ୍ସବରେ ପ୍ରଥମ ଦିନ ଗୋସଲ କାର୍ଯ୍ୟକ୍ରମ, ଚନ୍ଦନ ଶୋଭାଯାତ୍ରା, ସଂଧ୍ୟାରେ ମିଲାଦି ସରିଫ ସହ ରାତିସାରା ଶବିନା କାର୍ଯ୍ୟକ୍ରମ ଜାରି ରହିବ । ସେହିପରି ୨ୟ ଦିବସରେ ସାମୂହିକ କୋରାନ୍ ପାଠ ସାଙ୍ଗକୁ ବାବାଙ୍କ ଆସ୍ତାନରେ ଚଦର ଚଢ଼ାଇବା କାର୍ଯ୍ୟକ୍ରମ ରାତି ପର୍ଯ୍ୟନ୍ତ ଜାରି ରହିବ । ଏଥି ସହିତ ଫାତେହା ଓ ଶିରଣୀ ବିତରଣ, ଲଙ୍ଗର ଆଦି ଅନୁଷ୍ଠିତ ହେବ । ରାତି ୯ଟାରୁ ବିଶିଷ୍ଟ ମୌଲବୀଙ୍କ ଦ୍ୱାରା ଧର୍ମ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ରହିଛି । ତୃତୀୟ ଦିବସରେ ସକାଳଠାରୁ ରାତିସାରା ବାବାଙ୍କ ଆସ୍ତାନରେ ଚାଦର ଚଢ଼ା, ଫତେହା ଓ ଶିରଣୀ ବିତରଣ ଓ ମୌଲବୀଙ୍କ ଦ୍ୱାରା ବକ୍ତୃତା କାର୍ଯ୍ୟକ୍ରମ ଓ କବିିତା ପାଠ ପର୍ବ ଅନୁଷ୍ଠିତ ହେବ ବୋଲି କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ବାବାଙ୍କର ଏହି ୭୮ ତମ ଉତ୍ସବକୁ ଶୃଙ୍ଖଳାର ସହ ପାଳନ ପାଇଁ ମୋନେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଚିନ୍ମୟ ବିଶ୍ୱାଳ, ନଳିନୀ ରଞ୍ଜନ ଦାସ, ହାଇଦର ଖାଁ, ଆଜିମ୍ ବାଲେଶ୍ୱରୀ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଭୁଜାଖିଆ ପୀର ପରିଚାଳନା କମିଟି ସମ୍ପାଦକ ଶେଖ ଜାହିରୁଦ୍ଦିନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।