୩୨ କେଜି ଗଞ୍ଜେଇ ଜବତ, ୩ ଇଞ୍ଜିନିୟରିଂ ଛାତ୍ର ଗିରଫ
କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଆଜି ଲିଙ୍କ୍ ରୋଡ୍ରେ ଏକ କାରରୁ ୩୨ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ- କନ୍ଧମାଳ ଜିଲ୍ଲାର ଆଶିଷ କୁମାର ଦିଗାଲ, ମନୋମାଲିଆ ଦିଗାଲ ଓ ରଞ୍ଜନ କୁମାର ଦିଗାଲ। ସେମାନେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ବୋଲି ଜଣାପଡ଼ିଛି।କନ୍ଧମାଳରୁ ବାଲେଶ୍ୱରକୁ ଏକ କାର୍ରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କୌଣସି ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲେ । ଯାଞ୍ଚ ବେଳେ କାର ରୁ ଦୁଇ ବସ୍ତା ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ନିୟମିତ ଭାବେ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଛି। ତେବେ ସେମାନେ କାହାଠୁ ଗଞ୍ଜେଇ ଆଣୁଥିଲେ, କାହାକୁ ବିକ୍ରି କରୁଥିଲେ ଓ ସେମାନଙ୍କ ସହ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ବିଷୟରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି।


