୩୫ ଲକ୍ଷ ଶ୍ରମିକ ତଥା ଦିନ ମଜୁରିଆଙ୍କୁ ମିଳିବ ଭତ୍ତା
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ଭାଇରସ୍ ସହ ଲଢିବା ପାଇଁ ବିଭିନ୍ନ ପ୍ରକାରର ଘୋଷଣା କରିଛନ୍ତି। ରାଜ୍ୟରେ ୨୩ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ରହିଥିବା ଶ୍ରମିକ ତଥା ଦିନ ମଜୁରିଆଙ୍କ ପାଇଁ ଭତ୍ତାର ଘୋଷଣା କରିଛନ୍ତି। ରାଜ୍ୟରେ ରହିଥିବା ୨୦.୩୭ ନିର୍ମାଣ ଶ୍ରମିକଙ୍କ ପାଇଁ ସେମାନଙ୍କ ଦୈନିକ ଆବଶ୍ୟକୀୟତାକୁ ପୂରଣ କରିବା ଦିଗରେ ସାହାଯ୍ୟ ପାଇଁ ପ୍ରତ୍ୟେକଙ୍କୁ ୧୦୦୦ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି। ଏତଦ୍ବ୍ୟତୀତ ହକର୍ଙ୍କୁ ମଧ୍ୟ ୧୦୦୦ ଟଙ୍କାର ରାଶି ଦିଆଯିବ ବୋଲି ସୂଚନା ରହିଛି। ଏହି ରାଶି ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର୍ କରାଯିବ। ସେହିପରି ଶ୍ରମିକ୍ ସେସ୍ ଜରିଆରେ ସହାୟତା ଦେବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି । ୟୁପି ସରକାର ଶ୍ରମିକ ତଥା ମଜୁରିଆଙ୍କ ଭରଣପୋଷଣ ପାଇଁ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ଦ୍ବାରା ଏକ ସୁପାରିଶ୍କୁ ଗ୍ରହଣ କରୁଛନ୍ତି । ଶ୍ରମ ବିଭାଗ ୨୦ ଲକ୍ଷ ୩୭ ହଜାର ପଞ୍ଜିକୃତ ଶ୍ରମିକ, ଦୈନିକ ସଫାଇ କର୍ମଚାରୀ, ଠେଲାବାଲା ପରି ୧୫ ଲକ୍ଷ ଲୋକଙ୍କ ଭରଣପୋଷଣ ପାଇଁ ଏକ ହଜାର ଟଙ୍କାର ସହାୟତା ରାଶି ତାଙ୍କ ବ୍ୟାଙ୍କ ଖାତାକୁ ପଠାଇବାର ବ୍ୟବସ୍ଥା କରିଛନ୍ତି ।
ସେହିପରି ଆସନ୍ତାକାଲି ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ବାନ କରିଥିବାବେଳେ ଯୋଗୀ ସରକାର ମଧ୍ୟ ସମସ୍ତଙ୍କୁ ଘରେ ରହିବା ପାଇଁ ନିବେଦନ କରିଛନ୍ତି । ରବିବାର ଦିନ ଉତ୍ତରପ୍ରଦେଶରେ ମେଟ୍ରୋ, ବସ୍, ସିଟି ବସ୍ ପ୍ରମୁଖ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଉତ୍ତରପ୍ରଦେଶ ସରକାର ମଧ୍ୟ କରୋନା ସତର୍କତା ପାଇଁ ବେଶ୍ କଡା ପଦକ୍ଷେପ ନେଇଛନ୍ତି । ସଂକ୍ରମଣକୁ ରୋକିବା ପାଇଁ ଯୁଦ୍ଧସ୍ତରୀୟ ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ଯୋଗୀ । ସେହିପରି ଜିଲ୍ଲାର ସମସ୍ତ ହସ୍ପିଟାଲରେ ଆଇସୋଲେସନ୍ ଓ୍ବାର୍ଡ ପ୍ରସ୍ତୁତି କରାଯାଇ ପର୍ଯ୍ୟାପ୍ତ ପରିମାଣର ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତ କରାଯାଇଛି ।


