୩ ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ଶିଳାନ୍ୟାସ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୯ ନଂ ୱାର୍ଡ଼ରେ ୩ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ସୋମବାର ଶିଳାନ୍ୟାସ କରାଯାଇଛି । ପୌରାଧ୍ୟକ୍ଷା ସବିତା ସାହୁ ଅଙ୍ଗାରଗଡ଼ିଆ ଆଦିବାସୀ ସାହି, ପୁଲିସଲାଇନ ଛକ ପଢ଼ୁଆଁପଦା ଓ ପୂର୍ତ୍ତ ବିଭାଗ କଲୋନି ଆଦି ୩ ଅଙ୍ଗନବାଡ଼ି କେନ୍ଦ୍ରଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ନୂତନ ଗୃହ ନିର୍ମାଣ ପରେ ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଏହା ବେଶ ସୁରକ୍ଷିତ ହେବ ବୋଲି ସେ କହିଥିଲେ ।୯ ନଂ ୱାର୍ଡ଼ର କାଉନସିଲର ସଂଜୀବ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ତିନି କେନ୍ଦ୍ରର ଶିଳାନ୍ୟାସ ହୋଇଥିଲା । ଦୀର୍ଘଦିନ ଧରିଏହି ୩ କେନ୍ଦ୍ର ପାଇଁ ନୂତନ ଗୃହର ଆବଶ୍ୟକତା ଥିବା ବେଳେ ପୌର ନିର୍ବାଚନ ପରେ ପୌରାଧ୍ୟକ୍ଷାଙ୍କ ସହଯୋଗରୁ ଏବେ ନିର୍ମାଣ ନିମିତ୍ତ ଉପକ୍ରମ ହୋଇଥିବା ଶ୍ରୀ ଦାସ କହିଥିଲେ । ପ୍ରତ୍ୟେକ କେନ୍ଦ୍ରଗୃହ ପାଇଁ ୯.୧୨ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ସେ ସୂଚନା ଦେଇଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୌରପାଳିକା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ବେହେରା, ୩ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ସଂଯୁକ୍ତା ସ୍ୱାଇଁ, ସୁକାନ୍ତି ପ୍ରଧାନ ଓ ରଂଜିତା ଦାସଙ୍କ ସମେତ ସାମାଜିକ କର୍ମୀ ସବିତା ମହାନ୍ତି ଓ ଆଶ୍ରିତା ତରେଇ, ସଂଗଠକ ଅନ୍ତର୍ଯ୍ୟାମୀ ପ୍ରଧାନ, ଛାତ୍ରନେତା ସିମନ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।