୩ ଚୋରୀ ଘଟଣାରେ ହିଞ୍ଜିଳି ପୁଲିସକୁ ମିଳିଲା ବଡ ସଫଳତା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଜକରାପଲ୍ଲୀ, ସମରଝୋଳ ଛକ, ଦାରୁଭଦ୍ରା ଅଞ୍ଚଳରୁ ଚୋରୀ ଘଟଣାରେ ସୋମବାର ହିଞ୍ଜିଳି ପୁଲିସକୁ ମିଳିଛି ବଡ ସଫଳତା । ସଂପୃକ୍ତ ଲୁଟ୍ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ ଟିମ୍ ବିଭିନ୍ନ ସ୍ଥାନରୁ ରବିବାର ସନ୍ଧ୍ୟାରେ ୫ଜଣ ଲୁୁଟେରା ଓ ଜଣେ କବାଡିଆ ଦୋକାନୀ ମାଲିକଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ହିଞ୍ଜିଳି ଥାନା ବରପଲ୍ଲୀ ଗ୍ରାମର ଭଜମନ ଦାସ, ଜଳେନ୍ଦ୍ର ଦାସ, ଚିତ୍ରସେନ ଦାସ, ଜକରାପଲ୍ଲୀର ଏ. ସଞ୍ଜୟ ଓ ନିରଞ୍ଜନ ସେଠିଙ୍କ ସମେତ ଚୋରୀ ସାମଗ୍ରୀ କିଣିବା ଅଭିଯୋଗରେ ବ୍ରହ୍ମପୁର ଟାଉନ ଥାନା ସୋମନାଥ ନଗର ୫ମ ଲାଇନର କବାଡିଆ ଦୋକାନୀ ସିରାଜ ଅହମ୍ମଦଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁୁ ୫ଟିପାଣିପମ୍ପ, ଡାଲା ଅଟୋ(ଓଆର୧୯କେ ୪୬୭୫), ଫ୍ରିଜ, ଗାଡି ବ୍ୟାଟେରୀ, ୫ଟି ଜଳ ଭରିବା ଯନ୍ତ୍ର, ୧ଟି ପରୀକ୍ଷଣ ଯନ୍ତ୍ର, ୪ଟି ଉତ୍ତାପ ନିୟନ୍ତ୍ରଣ ଯନ୍ତ୍ରକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୫୧୬/୨୨ରେ ଏକ ମାମଲ । ରୁଜୁ କରି ଗିରଫ ଅଭିଯୁକ୍ତଙ୍କୁୁ ସୋମବର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।ପୁଲିସ ସୁତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଜକରାପଲ୍ଲୀ ଠାରେ ବ୍ରହ୍ମପୁର ଅଞ୍ଚଳର ଏଜାସ ବେଗଙ୍କ ଗତ ପ୍ରାୟ ୧ ମାସ ଧରି ବନ୍ଦ ରହିଥିବା ଆକବରୀ ଫୁଡ୍ସ ଓ ଆକବରୀ ବ୍ରିକ୍ ନାମରେ ୨ଟି ପ୍ରସ୍ତୁତକାରୀ ଉଦ୍ୟୋଗରୁ ବିଭିନ୍ନ ଯନ୍ତ୍ରାଂଶ ଚୋରୀ ହୋଇଥିଲା । ମାଲିକ ବେଗ୍ ୧୯ ତାରିଖ ସକାଳେ ଉଦ୍ୟୋଗକୁ ଆସି ଲୁୁଟ୍ ହୋଇଥିବା ଜାଣିପାରି ୨୨ ତାରିଖରେ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ପୁୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । କୌଣସି ସୁୁତ୍ରରୁ ଖବର ପାଇ ରବିବାର ସନ୍ଧ୍ୟାରେ ଥାନା ଆଇଆଇସିଙ୍କ ନେତୃତ୍ୱରେ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ହିଞ୍ଜିଳି ଥାନା ବରପଲ୍ଲୀ ଗ୍ରାମରେ ପହଞ୍ଚି ଗ୍ରାମର ଭଜମନ, ଜଳେନ୍ଦ୍ର ଓ ଚିତ୍ରସେନଙ୍କୁ ଗିରଫ କରିଥିଲା । ସେମାନଙ୍କ ଲୁଟ୍ ସ୍ୱୀୀକାରୋକ୍ତି ଆଧାରରେ ଜକରାପଲ୍ଲୀର ସଞ୍ଜୟ ଓ ନିରଞ୍ଜନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କୁ ଜେରାବେଳେ ଲୁଟ୍ ସାମଗ୍ରୀକୁ ବ୍ରହ୍ମପୁର ଅଞ୍ଚଳର କବାଡିଆ ଦୋକାନୀ ସିରାଜ ଅହମ୍ମଦଙ୍କୁ ବିକ୍ରି କରିଥିବା ନେଇ ପୁଲିସ କହିଥିଲେ । ୮ମାସ ପୂର୍ବରୁ ଭଜମନ ଓ ଚିତ୍ରସେନ ହିଞ୍ଜିଳି ଥାନା ସମରଝୋଳ ଛକ ଗାୟତ୍ରୀ ଡ୍ରେସ ଦୋକାନରୁ ଦୋକାନ ତାଲା ଭାଙ୍ଗି ୭୦ ହଜାର ଟଙ୍କା ଲୁଟ୍ ଘଟଣାରେ ସଂପୃକ୍ତି ଥିବା ନେଇ ସ୍ୱୀକାର କରିଥିଲେ । ଅନ୍ୟପକ୍ଷରେ ଏ. ସଞ୍ଜୟ, ଭଜମନ, ଚିତ୍ରସେନ, ଜଳନ୍ଦ୍ରେ ଦାରରୁଭଦ୍ରା ପଞ୍ଚାୟତ କାର୍ଯ୍ୟାଳୟରେ ନିୟୋଜିତ ଆବର୍ଜନା ସଂଗ୍ରହ ଗାଡିରୁ ବ୍ୟାଟେରୀ ଚୋରୀ ଘଟଣାରେ ସଂପୃକ୍ତି ଥିବା ନେଇ ପୁଲିସକୁ କହିଥିଲେ । ସୂଚନା ପାଇ ପୁଲିସ ଟିମ୍ କବାଡିଆ ଦୋକାନୀ ମାଲିକଙ୍କୁ ଗିରଫ କରିବା ସହ ଲୁଟ୍ ସାମଗ୍ରୀ ଜବତ କରିଥିଲା । ଥାନା ଆଇଆଇସିଙ୍କ ସମେତ ଏସଆଇ ସିଦ୍ଧାର୍ଥ ଜେନା, ଗୋପାଳକୃଷ୍ଣ ଆଗୁ ପାତ୍ର, କମଲିନି ନାଇକ, ଏଏସଆଇ ଉପେନ୍ଦ୍ର କାସ୍କା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ସରୋଜ କୁମାର ରଣସିଂ ଓ ଓଏଏସଏଫ ପୁଲିସ ବାହିନୀ ଚଢାଉରେ ଅଂଂଶ ଗ୍ରହଣ କରିଥିଲେ ।


