୩ ଦଫା ଦାବୀ ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ମିଳିତ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ଶନିବାର ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ୩ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ୨୦୦୧ ମସିହାରୁ ଯେତେ ଜଣ ଶିକ୍ଷକ ଠିକାରେ ନିଯୁକ୍ତି ହୋଇଛନ୍ତି । ସେମାନଙ୍କ ମୂଳ ନିଯୁକ୍ତି ତାରିଖକୁ ଗଣନା କରି ୬ ଟି ଇନକ୍ରିମେଣ୍ଟ ଦେବା, ପୁରୁଣା ପେନସନ ଲାଗୁ କରିବା ଓ ଠିକା ନିଯୁକ୍ତି ବନ୍ଦ କରିବା ଦାବି ନେଇ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ନିକଟରୁ ଛତ୍ରପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଶତାଧିକ ସଭ୍ୟ ସଭ୍ୟା ମାନେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ସେମାନଙ୍କ ନିଜ ହକ୍ ପାଇଁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଘନଶ୍ୟାମ ପଣ୍ଡାଙ୍କୁ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ଦିଲ୍ଲୀପ କୁମାର ପଲାଇ, ମାଗୁଣୀ ଶତପଥି, କୃଷ୍ଣ ଚନ୍ଦ୍ର ଦାଶ, ରୀତା ରଥ, ତ୍ରିନାଥ ସାହୁ ଓ ପିତାମ୍ବର ବେହେରାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।