୫୦୦ ବର୍ଷ ଧରି ଚାଲିଆସୁଛି ଶାରଦୀୟ ଦୁର୍ଗାପୂଜା
ନିମାପଡ଼ା,(ସନ୍ତୋଷ ଦାଶ ):ପ୍ରାଚୀ ଉପତ୍ୟକାର ନୟାହାଟ ନିକଟରେ ରହିଛି ସାତ ପାଟଣା। ସେ ଗୁଡ଼ିକ ହେଲା କୁଦପାଟଣା, ଦେବୀ ପାଟଣା, ବଢ଼େଇ ପାଟଣା, ନୂଆ ପାଟଣା, ରଇତି ପାଟଣା, ଗୋପୀ ପାଟଣା ଓ କୁଞ୍ଜିଆର ପାଟଣା। ଅତୀତ ରେ ପ୍ରାଚୀ ନଦୀ ସୁନାବ୍ୟା ଥିବା ସମୟ ରେ ଏହି ପାଟଣା ଗୁଡ଼ିକ ଥିଲା ବାଣିଜ୍ୟ ବ୍ୟବସାୟ ର ପେଣ୍ଠସ୍ଥଳୀ ବୋଲି କହିଛନ୍ତି ପ୍ରାଚୀ ଗବେଷକ ହାଡିବନ୍ଧୁ ବିଶ୍ଵାଳ। ୫୦୦ ବର୍ଷ ପୂର୍ବେ କଲିକତା ରୁ କିଛି ବଙ୍ଗାଳି ବ୍ୟବସାୟୀ ଏଠାକୁ ଆସି ବ୍ୟବସାୟ ଆରମ୍ଭ କଲେ। ଧୀରେ ଧୀରେ ସେମାନେ ଏଠାରେ ସ୍ଥାୟୀ ଭାବରେ ବସବାସ କରି ସ୍ଥାୟୀ ବାସିନ୍ଦା ହୋଇଗଲେ। ବଙ୍ଗାଳି ମାନଙ୍କର ଦୂର୍ଗା ପୂଜା ହେଉଛି ମୁଖ୍ୟ ପର୍ବ। ଏଠାରେ ଥିବା ବଙ୍ଗାଳି ପରିବାର ନିକଟସ୍ଥ ଭୋଦର ଗ୍ରାମ ରେ ଥିବା ବଙ୍ଗାଳି ଜମିଦାର ଙ୍କ ସହିତ ଯୋଗ ସୂତ୍ର ସ୍ଥାପନ କରି ଆରମ୍ଭ କରିଥିଲେ ଶାରଦୀୟ ଦୁର୍ଗାପୂଜା । ତେବେ ପାର୍ବଣ ସମୟ ରେ ମା ପୂଜା ପାଉଥିବା ଗୃହ ର କାନ୍ଥ ରେ ଏମାନେ ଦୂର୍ଗା ଙ୍କ ମୂର୍ତ୍ତୀ ନିର୍ମାଣ କରିଥିଲେ। ବର୍ଷ ସାରା କାନ୍ଥ ରେ ନିର୍ମିତ ମା ଦୁର୍ଗା ଙ୍କୁ ଗ୍ରାମବାସୀ ମାନେ ପୂଜା କରି ଆସୁଥିବାବେଳେ ଶାରଦୀୟ ଦୁର୍ଗାପୂଜା ସମୟ ରେ ଏହି ଗୃହ ରେ ମୃଣୟୀ ମୂର୍ତ୍ତି ନିର୍ମାଣ କରି ବଙ୍ଗୀୟ ଢ଼ାଞ୍ଚା ରେ ଦୂର୍ଗା ପୂଜା ଆରମ୍ଭ କଲେ ବୋଲି ଗ୍ରାମବାସୀ ଅଭୟ କୁମାର ଦାସ, ପ୍ରମୋଦ କୁମାର ପାଲ, ବସନ୍ତ ଦାସ,ସମ୍ପଦ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି। ମା ଦୂର୍ଗା ଏହି ଗାଁ ରେ ପୂଜା ପାଇ ଆସୁଥିବାରୁ ଗାଁ ର ନାଁ ଦେବୀ ପାଟଣା ହୋଇଥିବା ଓ ଏଠାର ଦୂର୍ଗା ପୂଜା ଏହି ଅଞ୍ଚଳ ର ପ୍ରଥମ ଶାରଦୀୟ ଦୁର୍ଗାପୂଜା ବୋଲି ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ପ୍ରକାଶ କରିଛନ୍ତି।ଧୀରେ ଧୀରେ ଏହି ଗାଁ ରେ ଦୂର୍ଗା ପୂଜା ସାର୍ବଜନୀନ ପୂଜା ରେ ପରିଣତ ହୋଇଛି। ଗାଁ ଥିବା ପ୍ରାୟ ୧୫୦ ପରିବାର ଏବେ ଏହି ପୂଜା ରେ ସାମିଲ ହୋଇଛନ୍ତି। ଷଷ୍ଠୀ ତିଥି ରେ ବିଲ୍ଵ ବରଣ ନୀତି କରାଯାଇ ପୂଜା ର ଆରମ୍ଭ ହେଉଥିବା ବେଳେ ଦଶହରା ଦିନ ବିଳମ୍ୱିତ ରାତିରେ ମା ଙ୍କ ମୃଣୟୀ ମୂର୍ତ୍ତି କୁ ବିସର୍ଜନ ପରେ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଥାଏ। ମହାଷ୍ଟମୀ ରାତି ରେ ମା ଙ୍କ ସମ୍ମୁଖ ରେ ପାଣିକଖାରୁ, କାକୁଡି, ଆଖୁ ବଳି ପ୍ରଦାନ କରା ଯାଉଥିବାବେଳେ ତାରେଣୀ ବ୍ରତ ,ବତୀ ଟେକା ନୀତି ଅନୁଷ୍ଠିତ ହୋଇଥାଏ।ନବମୀ ଦିନ ସଧବା ମହିଳା ମାନଙ୍କ ସିନ୍ଦୂର ଖେଳ ଓ କୁନି କୁନି ପିଲା ଙ୍କୁ ନେ଼ଇ କୁମାରୀ ପୂଜା ଅନୁଷ୍ଠିତ ହୋଇଥାଏ।ଏଠାରେ ଅନୁଷ୍ଠିତ ପୂଜା ରେ ଏକ ଅନନ୍ୟ ପରମ୍ପରା ଦେଖିବାକୁ ମିଳେ । ଦଶହରା ଦିନ ବିଳମ୍ୱିତ ରାତିରେ ମା ଙ୍କ ବିସର୍ଜନ ନୀତି ପରେ ମାଙ୍କ ମୃଣୟୀ ମୂର୍ତ୍ତି କୁ ୨୫ ରୁ ୩୦ ଗୋପାଳ ବେହେରା କାନ୍ଧ ରେ କାନ୍ଧେଇ ମନ୍ଦିର ଠାରୁ ନେଇ ଗାଁ ପରିକ୍ରମା କରାଇ ପ୍ରାଚୀ ନଦୀ ର ଦେବୀ ତୁଠ ଠାରେ ବିସର୍ଜନ କରିଥାନ୍ତି। ମା ଙ୍କ ମୂର୍ତ୍ତି ଗ୍ରାମ ପରିକ୍ରମା କରୁଥିବା ବେଳେ ପ୍ରତି ପରିବାର ର ମହିଳା ମାନେ ନୂଆ ଶାଢ଼ୀ ଗାଁ ରାସ୍ତା ରେ ପକାଇଥାନ୍ତି। ମା ଯିବା ପରେ ସେହି ଶାଢ଼ୀ କୁ ନିଜେ ପିନ୍ଧିଥାନ୍ତି। ଏହା ଦ୍ବାରା ପରିବାର ର ସବୁ ରିଷ୍ଟ ଖଣ୍ଡନ ହୋଇଥାଏ ବୋଲି ବିଶ୍ୱାସ ରହିଛି।ଦୀର୍ଘ ୫୦୦ ରୁ ଉର୍ଦ୍ଧ୍ବ ବର୍ଷ ହେବ ଦେବୀ ପାଟଣା ଠାରେ ପାଳିତ ହୋଇ ଆସୁଥିବା ଶାରଦୀୟ ଦୁର୍ଗାପୂଜା ଆଜି ଏହି ଏହି ଅଞ୍ଚଳ ର ଗଣ ପର୍ବ ରେ ପରିଣତ ହୋଇଛି।